ଅଶାନ୍ତ ସମୁଦ୍ରରୁ ଉଦ୍ଧାର ହେଲେ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ

0
159
ଅଶାନ୍ତ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୧୦) : ଅଶାନ୍ତ ସମୁଦ୍ରରୁ ଉଦ୍ଧାର ହେଲେ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀ । ସେମାନଙ୍କ ପାଇଁ ଦେବଦୂତ ସାଜିଥିଲା ଭାରତୀୟ ତଟରକ୍ଷୀ ବାହିନୀ । ଏପରି ଲୋମଟାଙ୍କୁରା ଘଟଣା ସାଗର ଦ୍ଵୀପ ଠାରୁ ୯୦ ନଟିକାଲ ମାଇଲ ଦୂର ଗଭୀର ସମୁଦ୍ରରେ ଘଟିଛି ।

ସୂଚନାଯୋଗ୍ୟ, ପ୍ରାୟ ୨୦ ବାଲାଂଦେଶୀ ମତ୍ସ୍ୟଜୀବୀ ମାଛ ଧରିବା ନିମନ୍ତେ କିଛି ଦିନ ପୂର୍ବେ ସମୁଦ୍ରକୁ ଆସିଥିଲେ । ଇତି ମଧ୍ୟରେ ବାଂଲାଦେଶ ସମୁଦ୍ରରେ ‘ସିତ୍ରାଙ୍ଗ’ ମାଡ଼ ହେବାରୁ ସେମାନେ ଆଉ କୂଳକୁ ଫେରି ପାରିଲେ ନାହିଁ । ଫଳରେ ଅଶାନ୍ତ ସମୁଦ୍ରରେ ସେମାନେ ବୋଟରେ ଥିବା ବେଳେ ଅତ୍ୟଧିକ ଝଡ଼ ଯୋଗୁଁ ସେମାନଙ୍କ ବୋଟ ବି ବୁଡ଼ିଗଲା ।

ଫଳରେ ଅକାତ କାତ ପାଣିରେ ଉଚ୍ଚ ଉଚ୍ଚ ଜୁଆର ଉଠୁଥିବା ବେଳେ କେବଳ କିଛି ଜାଲ ଓ ଭାସମାନ ସାମଗ୍ରୀ ଭରସାରେ ସମୁଦ୍ରରେ ଭାସିଥିଲେ ମତ୍ସ୍ୟଜୀବୀ । ଏପରି ପ୍ରାୟ ୨ ଦିନ ବିତିବା ପରେ ସେମାନଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଲା ।
ଏହା ମଧ୍ୟରେ ଭାରତୀୟ ତଟରକ୍ଷୀ ବାହିନୀ ର ଡୋର୍ନିୟର ବିମାନ ସମୁଦ୍ର ଉପରେ ପଇଁତରା ମାରୁଥିବା ବେଳେ ଅସହାୟ ଅବସ୍ଥାରେ ଥିବା ଏହି ମତ୍ସ୍ୟଜୀବୀଙ୍କୁ ଠାବ କରିଥିଲା । ଏହାପରେ ତୁରନ୍ତ ଏକ ଲାଇଫ-ରାଫ୍ଟ ପକାଇବାରୁ ସେମାନେ ତାହା ଉପରକୁ ଚାଲି ଯାଇଥିଲେ । ଏହାପରେ ସେମାନଙ୍କୁ କିପରି ସମୁଦ୍ର କୂଳକୁ ଆଣିବେ ତାହା ଏକ ପ୍ରଶ୍ନବାଚୀ ଭାବେ ଛିଡ଼ା ହେଲା ।

ଇତି ମଧ୍ୟରେ ମାଲେସିଆରୁ କୋଲକାତା ଯାଉଥିବା ଏକ ପଣ୍ୟବାହୀ ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ ତଟରକ୍ଷୀ ବାହିନୀ ପକ୍ଷରୁ ନିର୍ଦ୍ଦେଶ ଦିଆଗଲା । ଉକ୍ତ ଜାହାଜରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରି ନିଆଗଲା । ଏହାପରେ ଭାରତୀୟ ତଟରକ୍ଷା ବାହିନୀ ର ଜାହାଜ ‘ବିଜୟ’ ମଝି ସମୁଦ୍ରରେ ପହଞ୍ଚିବାରୁ ସମସ୍ତ ମତ୍ସ୍ୟଜୀବୀଙ୍କୁ ସେଠାକୁ ସ୍ଥାନାନ୍ତର କରାଗଲା ।

ଜାହାଜ ମଧ୍ୟରେ ସେମାନଙ୍କ ଚିକିତ୍ସା କରାଯିବାରୁ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାଯାଇଛି । ଏହାପରେ ସେଠାରୁ ସେମାନଙ୍କୁ ବାଂଲାଦେଶ ଅଭିମୁଖେ ନିଆଯାଇଛି । ଭାରତ-ବାଂଲାଦେଶ ଜଳସୀମାରେ ବାଂଲାଦେଶ ତଟରକ୍ଷୀ ବାହିନୀକୁ ଏହି ୨୦ ଜଣ ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ହସ୍ତାନ୍ତର କରାଯିବ । ଏବେ ବାତ୍ୟା ‘ସିତ୍ରାଙ୍ଗ’ ଶେଷ ହୋଇଥିବାରୁ ଏପରି ଅଘଟଣ ଆଶଙ୍କାରେ ସମୁଦ୍ରରେ ଭାରତ ତଟରକ୍ଷୀ ବାହିନୀ ର ଜାହାଜ ବରଦ ଓ C – 426 ପକ୍ଷରୁ ପାଟ୍ରୋଲିଂ କରାଯାଉଛି ।