ଭୋଜି ଖାଇ ଫେରିବା ବାଟରେ ୪ ଜଣଙ୍କୁ ଅପହରଣ !

0
118
ଭୋଜି ଖାଇ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଉମରକୋଟ, (୧୨/୧୨) : ବାହାଘର ଭୋଜି ଖାଇ ଫେରିଲା ବେଳେ ୪ ଜଣଙ୍କୁ ଅପହରଣ । ଅପହୃତଙ୍କ ମଧ୍ୟରେ ରାଇଘର ତହସିଲ ସୁପରଭାଇଜର ସପନ ସରକାର, ତାଙ୍କ ପତ୍ନୀ ଇତିଶ୍ରୀ ସରକାର, ଶାଳକ ବିଶ୍ୱଜିତ୍ ଅଧିକାରୀ ଓ ଶାଳକଙ୍କ ପତ୍ନୀ ରହିଛନ୍ତି ।

ଏ ନେଇ ତାଙ୍କ ପରିବାର ପକ୍ଷରୁ କାଙ୍କେର କତୁଆଲି ଥାନାରେ ଏତଲା ଦିଆଯାଇଛି । ଅଭିଯୋଗ ମୁତାବକ ଗତକାଲି ରାତି ୧୦.୧୦ ସମୟରେ ସେମାନେ ଛତିଶଗଡ଼ କାଙ୍କେରରୁ ଏକ ବିବାହ ଉତ୍ସବରେ ଭୋଜି ଖାଇ କୋଣ୍ଡା ଗାଁ ଗୋଟିଏ କାର୍‌ରେ ଫେରୁଥିଲେ । ହେଲେ କେହିବି ଘରେ ପହଞ୍ଚି ନ ଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଫୋନ୍ ଲଗାଇଥିଲେ । ସେମାନଙ୍କ ଫୋନ୍ ସୁଇଚ୍ ଅଫ୍ ଆସିଥିଲା । ତେଣୁ ଫେରିବା ବାଟରେ ତାଙ୍କୁ ଅପହରଣ କରାଯାଇଥିବା ସମ୍ପର୍କିୟ ମାନେ ସନ୍ଦେହ କରି ଏତଲା ଦେଇଛନ୍ତି ।

ଏତଲା ପାଇବା ପରେ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଯାଇଛି । ତେବେ ସେମାନଙ୍କୁ କାହିଁକି ଅପହରଣ କରାଯାଇଛି ଓ ଛାଡ଼ିବା ନିମନ୍ତେ ଅପହରଣକାରୀ ଦୁର୍ବୃତ୍ତମାନେ କ’ଣ ସର୍ତ୍ତ ରଖିଛନ୍ତି ତାହା ଜଣାପଡ଼ିନି । ପୁଲିସ ପକ୍ଷରୁ ମଧ୍ୟ ଏ ନେଇ କୌଣସି ପ୍ରତିକ୍ରିୟା ମିଳିପାରିନି । ତେବେ ଏହି ଘଟଣା ପରେ ସପନଙ୍କ ପରିବାର ଲୋକେ ଚିନ୍ତିତ ହୋଇ ପଡ଼ିଛନ୍ତି । ତାଙ୍କ ଫେରିବା ବାଟକୁ ସମସ୍ତେ ଚାହିଁ ବସିଛନ୍ତି । ଅନେକ ସମ୍ପର୍କିୟ ଥାନା ନିକଟରେ ମଧ୍ୟ ଡେରା ପକାଇଛନ୍ତି ।