୩ ଦିନରେ ୧୫୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ, ପହଞ୍ଚି ନାହିଁ ମେଡିକାଲ ଟିମ୍

0
109
୩ ଦିନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କାମାକ୍ଷାନଗର, (୧୨/୧୨) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସିର ୧୪ ନମ୍ବର ୱାର୍ଡରେ ଝାଡ଼ାବାନ୍ତି ଆତଙ୍କ। ୩ ଦିନରେ ୩ଟି ସାହିରେ ୧୫୦ ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି ।

୧୦ ଜଣ ଆକ୍ରାନ୍ତ କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ୫୦ରୁ ଅଧିକ ଲୋକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ଆକ୍ରାନ୍ତମାନେ ଘରେ ରହି ମେଡିସିନ୍ ଖାଉଥିବା ଜଣାପଡ଼ିଛି । ୩ ଦିନରେ ଚଷା ସାହି, ଶବର ସାହି ଓ ହରିଜନ ସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ଗାଁକୁ ମେଡିକାଲ ଟିମ୍‌ ଯାଇ ନାହିଁ । ଆଶା ଦିଦି ଘର ଘର ବୁଲି ଓଆରଏସ୍ ଦେବା ସହ ପାଣି ଫୁଟାଇ ପିଇବା ପାଇଁ ପରାମର୍ଶ ଦେଉଛନ୍ତି । ଆଶା ଦିଦି କହିଛନ୍ତି, ୩ଟି ସାହିରେ ଝାଡ଼ାବାନ୍ତି ବ୍ୟାପିଥିବା ଏଏନ୍‌ଏମ୍‌ ଦିଦିଙ୍କୁ ଜଣାଇଛି । ଏପର୍ଯ୍ୟନ୍ତ ଗାଁକୁ ମେଡିକାଲ ପହଞ୍ଚି ନାହିଁ ।

ଗାଁ’ରେ ମେଡିକାଲ ଟିମ୍‌ ପହଞ୍ଚି ନ ଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଗାଁ’ରେ ଦୂଷିତ ପାନୀୟ ଜଳ ଯୋଗାଣ ହେଉଛନ୍ତି । ସେହି ପାଣି ପିଇବା ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି । ଜଣେ ଗ୍ରାମବାସୀ କହିଛନ୍ତି, ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯାଉଥିବା ପାନୀୟ ଜଳ ଭାରି ଦୂଷିତ । ସେହି ପାଣି ପିଇବାର ଦ୍ୱାରା ଲୋକଙ୍କୁ ଝାଡ଼ାବାନ୍ତି ହେଉଛି ।