ଶିମିଳିପାଳ ଏବେ ଶିକାରୀଙ୍କ ଭୂସ୍ୱର୍ଗ: ଜବତ ହେଲା ମହାବଳ ବାଘ ଚମଡ଼ା

0
98
ଶିମିଳିପାଳ

ରିପୋର୍ଟ : ଓଡ଼ିଶା ନ୍ୟଯୁ ୨୪ ବ୍ୟୁରୋ //
ବାରିପଦା, (୧୪/୧୨) : ଶିକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଶିମିଳିପାଳ ଅଭୟାରଣ୍ୟ । ଶିକାରୀମାନେ ଶିମିଳିପାଳ ରେ ଦନ୍ତା ଶିକାର ପରେ ପ୍ରମାଣ ନଷ୍ଟ ପାଇଁ ଏହାକୁ ପୋଡ଼ି ଦେଇଥିଲେ ବନ କର୍ମଚାରୀ ।

ଏପରି ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏବେ ଆଉ ଏକ ସାଂଘାତିକ ଘଟଣା ସାମନାକୁ ଆସିଛି । ଏଥର ଶିମିଳିପାଳ ରୁ ଏକ ମହାବଳ ବାଘର ଚମଡ଼ା ଜବତ ହୋଇଛି । ମହାବଳ ବାଘ ଶିକାର ପରେ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ବେଳେ ଆଜି ସକାଳେ ଧରା ପଡ଼ି ଯାଇଛନ୍ତି ଶିକାରୀ । ଏସ୍‌ଟିଏଫ୍ ଜଣେ ଶିକାରୀକୁ ଧରିଥିବା ବେଳେ ଦୁଇ ଜଣ ଚଂପଟ ମାରିଛନ୍ତି ।

ବାରିପଦା ଉଦଳା ରାସ୍ତାର ଶ୍ରୀ ଦାମଚନ୍ଦ୍ରପୁର ଠାରେ ଆଜି ସକାଳେ ୩ ଜଣ ବାଘ ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏସଟିଏଫ ଖବର ପାଇଥିଲା । ଏହାପରେ ଏସଟିଏଫ ଟିମ୍‌ ଗରାଖ ସାଜି ସେଠାରେ ପହଞ୍ଚି ବାଘ ଛାଲ ପାଇଁ ମୁଲଚାଲ କରିଥିଲେ । ୫ ଲକ୍ଷରେ ଡିଲ୍ ଫାଇନାଲ ହୋଇଥିଲା। ଏହାପରେ ହଠାତ୍‌ ଏସ୍‌ଟିଏଫ୍ ଟିମ୍‌ ଚଢ଼ାଉ କରି ଜଣେ ଶିକାରୀକୁ ମାଡ଼ି ବସିଥିବା ବେଳେ ଘଟଣାସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି ।
ଗିରଫ ଅଭିଯୁକ୍ତଠାରୁ ଗୋଟିଏ ମହାବଳ ବାଘର ଛାଲ ଜବତ କରାଯାଇଛି । ବାଘ ଛାଲଟି ପ୍ରାୟ ମାସେ ତଳର ବୋଲି ଜଣାପଡ଼ିଥିବା ବେଳେ ତାହାର ଶରୀର କୁଆଡ଼େ ଗଲା ସେ ନେଇ ତନାଘନା ଆରମ୍ଭ ହୋଇଛି ।

ପ୍ରାୟ ମାସେ ପୂର୍ବେ ଶିମିଳିପାଳରେ ଦନ୍ତା ଶିକାର ପରେ ତାହାର ଦାନ୍ତ କାଟି ନେଇଥିଲେ ଶିକାରୀ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଭୟରେ ବନ କର୍ମଚାରୀ ହାତୀର ମୃତଦେହକୁ ପୋଡ଼ି ନଦୀରେ ଭସାଇ ଦେଇଥିଲେ । ଏହି ଘଟଣାରେ ଶିମିଳିପାଳର ୩ ବନ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେମାନଙ୍କ ବିରୋଧରେ କାହିଁକି ମାମଲା ରୁଜ୍ଜୁ ହୋଇନି ବୋଲି ଗତକାଲି ପଚାରିଥିଲେ ହାଇକୋର୍ଟ । ଏପରିକି ଏହି ଘଟଣାରେ ହାଇକୋର୍ଟ ପିସିସିଏଫ ଓ ଏସ୍‌ଟିଏଫଙ୍କୁ କଡ଼ା ଭର୍ତ୍ସନା କରିବାକୁ ପଛାଇ ନାହାଁନ୍ତି ।

ଶିମିଳିପାଳକୁ ସୁରକ୍ଷା ଦେବାକୁ ବହୁ ସଂଖ୍ୟାରେ ବନ କର୍ମଚାରୀ ନିୟୋଜିତ ଥିବା ବେଳେ ଏହାର ପ୍ରବେଶ ଉପରେ ବହୁ କଟକଣା ଜାରି କରାଯାଇଛି । ତନଖି ଫାଟକ ପାଖରେ ଟିକିନିଖି ଯାଞ୍ଚ କରି ଲୋକଙ୍କୁ ଭିତରକୁ ଛଡ଼ା ଯାଉଥିବା ବେଳେ ତା’ ଭିତରକୁ ଶିକାରୀ କିପରି ମାରଣାସ୍ତ୍ର ସହ ପ୍ରବେଶ କରୁଛନ୍ତି ଓ ଶିକାର ପରେ ସୁରୁଖୁରରେ ବାହାରକୁ ଆସି ହାତୀ ତଥା ବାଘଙ୍କ ଦାନ୍ତ, ଚମଡ଼ା ଆଦି ବିକ୍ରି କରୁଛନ୍ତି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବନ କର୍ମଚାରୀଙ୍କ ବିନା ସହଯୋଗ ତଥା ସଲାସୁତୁରାରେ ଏପରି ବନ୍ୟଜନ୍ତୁ ଶିକାର କରିବା ସମ୍ଭବପର ନୁହେଁ ବୋଲି ଆଲୋଚନା ହେଉଛି ।