ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ମଙ୍ଗଳବାର ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

0
168
ବିଜୁ ପଟ୍ଟନାୟକ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ମଙ୍ଗଳବାର ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି ।

ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏଥିରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଶତୃଘ୍ନ ପୂଜାହାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧନୁଯାତ୍ରାର ଶୁଭାରମ୍ଭ କରିବା ସହ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଓ ବୀରମହାରାଜପୁର ଓକିଲ ସଂଘ ସଭାପତି ଯତୀନ ପାଣିଗ୍ରାହୀ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ ।

କମିଟି ସଭାପତି ସତ୍ୟଞ୍ଜିବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ନାରାୟଣ ଲୁହା ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦ୍ଵିତିକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ସମ୍ପାଦକ ବିଷ୍ଣୁଚରଣ ପଣ୍ଡା ବିବରଣୀ ପାଠ କରିଥିଲେ । ମହୋତ୍ସବ କମିଟି କୋଷାଧ୍ୟକ୍ଷ ମହେନ୍ଦ୍ର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ । ଆଜି ଦେବକୀ ବସୁଦେବ ବିବାହ ସମ୍ପନ୍ନ, ଉଗ୍ରସେନ ଗାଦିଚ୍ୟୁତ, କଂସର ସିଂହାସନ ଆରୋହଣ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା ।

ଗୋପାଳ ପଣ୍ଡା (ଏଲି) ଏଥିରେ କଂସ ଭୂମିକାରେ ଅଭିନୟ କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସମ୍ବଲପୁରୀ ନୃତ୍ୟଗୀତ ପରିବେଷଣ କରିଥିଲେ । ଦିନବେଳା ଅସିତ୍ ଷଡ଼ଙ୍ଗୀଙ୍କ ଦ୍ଵାରା ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏଠାରେ ଧନୁଯାତ୍ରା ସାଙ୍ଗକୁ ବାଲୁକା କଳା ପ୍ରଦର୍ଶନ ଓ ମୀନା ବଜାର ଆଦି ଅନ୍ୟତମ ଆକର୍ଷଣ ପାଲଟିଛି । ଧନୁଯାତ୍ରା ଉପଲକ୍ଷେ ଆସନ୍ତା ୩ ତାରିଖରେ ଏକ ମେଗା ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଛି ।