ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦିଏ ଧନୁଯାତ୍ରା : ରାଜ୍ୟପାଳ

0
174
ଶାନ୍ତି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୯/୧୨) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବିକୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବରେ ବୁଧବାର ଥିଲା ଦ୍ଵିତୀୟ ଦିବସ । ରାଜ୍ୟପାଳ ଧନୁଯାତ୍ରା ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ ।WhatsApp Image 2022 12 29 at 11.55.20 1 ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦିଏ ଧନୁଯାତ୍ରା : ରାଜ୍ୟପାଳ

ଏଥିରେ ମୁଖ୍ୟ ଆକର୍ଷଣ ଥିଲା ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲଙ୍କ ଯୋଗଦାନ । ପ୍ରଫେସର ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଓଡ଼ିଶା ପ୍ରଦେଶ ବିବିଧ ଲୋକ ସଂସ୍କୃତିରେ ଭରପୁର । ଏହା ମଧ୍ୟରୁ ଧନୁଯାତ୍ରା ଅନ୍ୟତମ । ଏହା କୃଷ୍ଣ ଚେତନାକୁ ଜାଗ୍ରତ କରେ ଓ ଭଗବାନଙ୍କ ଶରଣାପନ୍ନ ହେବାକୁ ପ୍ରେରଣା ଯୋଗାଏ । ରଜ ଭଳି ଧନୁଯାତ୍ରା ଉତ୍ସବ କେବଳ ଓଡ଼ିଶାରେ ଦେଖାଯାଏ । ମଣିଷ ସମାଜରେ ହିଂସା ଓ ଆତଙ୍କରାଜର ସ୍ଥାନ ନାହିଁ ବୋଲି ରାଜ୍ୟପାଳ କହିବା ସହ ଧନୁଯାତ୍ରା ଶାନ୍ତି ଓ ମୈତ୍ରୀର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ ।

ଏଥିରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ ଆଇନଜୀବି ନରସିଂହ ମିଶ୍ର ସମ୍ବଲପୁରୀ ଭାଷାରେ ବକ୍ତବ୍ୟ ରଖି ବିକାଶ ପାଇଁ ସମସ୍ତେ ଏକତ୍ରିତ ହେବାକୁ ଆହ୍ବାନ ଦେଇଥିଲେ । ଏଥିସହ ଆଗକୁ ଆସୁଥିବା ନୂଆବର୍ଷ ଓ ପୁଷପୁନି ପର୍ବ ପାଇଁ ଶୁଭେଚ୍ଛା ଜଣାଇଥିଲେ । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ଦ୍ଵିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ତଥା ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ରଖିଥିଲେ । କମିଟି ସଭାପତି ସତ୍ୟଞ୍ଜିବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କାର୍ଯ୍ୟକାରୀ ସଭାପତି ନାରାୟଣ ଲୁହା ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ।

ଯୁଗଳ ମିଶ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସଭା ଆରମ୍ଭରେ ଓ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ରାଜ୍ୟପାଳଙ୍କ ଗସ୍ତକୁ ନେଇ ସ୍ଥାନୀୟ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ବ୍ୟବସ୍ଥା ଅବଲମ୍ବନ କରାଯାଇଥିଲା । ଏହି ଅବସରରେ ରାଜ୍ୟପାଳଙ୍କ ଦ୍ଵାରା ପାରାୟଣ ଗାୟକ ଅସିତ୍ ଷଡ଼ଙ୍ଗୀ, ପରିବେଶପ୍ରେମୀ ଋଷିନାଥ ମହାକୁର, କବି ଦ୍ଵୀତିକୃଷ୍ଣ ପଣ୍ଡା ଓ ବାନ୍ଧକାର ତ୍ରିପୁରାରୀ ମେହେରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଆଜି କୃଷ୍ଣ ଓ ବଳରାମ ଜନ୍ମ, କୃଷ୍ଣଙ୍କୁ ନେଇ ବାସୁଦେବଙ୍କ ଗୋପପୁର ଗମନ ଆଦି ଦୃଶ୍ୟ ଅଭିନୀତ ହୋଇଥିଲା । ବରଗଡ଼ରେ ୨୩ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରିଥିବା ବରପାଲିର ଗୋପାଳ ପଣ୍ଡା (ଏଲି) ଏଥିରେ କଂସ ଭୂମିକାରେ ଅଭିନୟ କରୁଛନ୍ତି ।

ବିଭିନ୍ନ ସ୍ଥାନୀୟ କଳାକାର ଓ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମଧ୍ୟ ଏଥିରେ ନୃତ୍ୟଗୀତ ପରିବେଷଣ କରିଥିଲେ । ଦିନବେଳା ଅସିତ୍ ଷଡ଼ଙ୍ଗୀଙ୍କ ଦ୍ଵାରା ତୁଳସୀ ରାମାୟଣ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏଠାରେ ଅଭିଷେକ ସିଂଙ୍କ ଦ୍ଵାରା ବାଲୁକା କଳାରେ ଜଗନ୍ନାଥଙ୍କ ଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଛି । ଏହା ସାଙ୍ଗକୁ ସେଲ୍ଫୀ ଜୋନ ଓ ମୀନା ବଜାର ଆଦିର ମଜା ମଧ୍ୟ ଦର୍ଶକ ଉଠାଉଛନ୍ତି । ଧନୁଯାତ୍ରା ଉପଲକ୍ଷେ ଆସନ୍ତା ୩ ତାରିଖରେ ଏକ ମେଗା ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇହେବା ପାଇଁ ସ୍ଥିର ହୋଇଥିବା ବେଳେ ସମସ୍ତ ସ୍ଵେଚ୍ଛାକୃତ ରକ୍ତଦାତା ମାନେ ରକ୍ତଦାନ କରିବା ପାଇଁ କମିଟି ପକ୍ଷରୁ ଅନୁରୋଧ କରାଯାଇଛି ।