ଆମ୍ବୁଲାନ୍ସ ରୁ ୯୪ କେଜି ଗଞ୍ଜେଇ ଜବତ

0
217
ଆମ୍ବୁଲାନ୍ସ ରୁ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୪/୦୧) : ସାଇରନ ବଜାଇ ଦ୍ରୁତ ଗତିରେ ରାସ୍ତାରେ ମାଡ଼ି ଚାଲିଥିଲା ଘରୋଇ ଆମ୍ବୁଲାନ୍ସ । କୌଣସି ଗୁରୁତର ରୋଗୀ ହସ୍ପିଟାଲ ଯାଉଥିବ ଭାବି ଲୋକେ ରାସ୍ତା ଛାଡ଼ି ଦେଉଥିଲେ । ହେଲେ ଆମ୍ବୁଲାନ୍ସ ରୁ ୯୪ କେଜି ଗଞ୍ଜେଇ ଜବତ କଲା ପୋଲିସ ।

ଆମ୍ବୁଲାନ୍ସରେ କୌଣସି ରୋଗୀ ନୁହେଁ, ରୋଗୀ ପରିବର୍ତ୍ତେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ । ଆମ୍ବୁଲାନ୍ସ ରୁ ୯୪ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି । ଏପରି ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ହୋଇଥିବା ବେଳେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବୌଦ୍ଧ ଜିଲ୍ଲା ଅଙ୍କୁନ ଗ୍ରାମର ପ୍ରଶାନ୍ତ ଗୁରୁ ଏବଂ ବରଗଡ଼ ସହରର କୈଳାସ ସିଂ ।

କନ୍ଧମାଳ ଜିଲ୍ଲା ଗୋଛପଡା ଅଞ୍ଚଳରୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ ବିପୁଳ ଗଞ୍ଜେଇ ଆସୁଥିବା କୌଣସି ସୂତ୍ରରୁ ଶଗଡ଼ ଫାଣ୍ଡି ଅଧିକାରୀ ସୂଚନା ପାଇଥିଲେ । ସୂଚନା ପାଇ ଏକ ଟିମ୍ ଗଠନ କରି ଗୁନ୍ଦୁଲିଆ ଅଞ୍ଚଳରେ ଆମ୍ବୁଲାନ୍ସକୁ ଅଟକାଇ ଚଢ଼ାଉ କରିଥିଲେ । ଏହାପରେ ଆମ୍ବୁଲାନ୍ସରୁ ୯୪ କେଜି ଗଞ୍ଜେଇ ଜବତ ହୋଇଥିବା ସୂଚନା ଦେଇଛି ପୁଲିସ୍ । ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି SDPO ଆନନ୍ଦ ବର୍ଦ୍ଧନ ଗୁରୁ ।