୨୦ ଦିନ ପରେ ପୁଣି ମହାବଳ ବାଘ ଚମଡ଼ା ଜବତ, ଡିଲ୍‌ ବେଳେ ହେଲା ରେଡ୍‌

0
257
୨୦ ଦିନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୦୪/୦୧) : ଶିକାରୀଙ୍କ ଟାର୍ଗେଟରେ ମହାବଳ ବାଘ । ମାତ୍ର ୨୦ ଦିନ ବ୍ୟବଧାନରେ ୨ଟି ମହାବଳ ବାଘ ଚମଡ଼ା ଜବତ ଘଟଣାରୁ ଏହା ସ୍ପଷ୍ଟ ହେଉଛି ।

୨୦ ଦିନ ପରେ ପୁଣି ମହାବଳ ବାଘ ଚମଡ଼ା ଜବତ । ପ୍ରଥମଟି ମୟୂରଭଞ୍ଜ ଜିଲ୍ଲାର ଉଦଳାରୁ ଜବତ ହୋଇଥିବା ବେଳେ ଅନ୍ୟଟି ବୌଦ୍ଧରୁ ଜବତ ହୋଇଛି । ୧୦ ଲକ୍ଷ ଟଙ୍କାରେ ମହାବଳ ବାଘ ଚମଡ଼ା ପାଇଁ ଡିଲ୍‌ ହେଉଥିବା ବେଳେ ଜଣେ ଅଭିଯୁକ୍ତଙ୍କୁ ମାଡ଼ି ବସିଲା ଏସଟିଏଫ୍‌ ଟିମ୍‌ । ତାଙ୍କୁ ପଚରାଉଚରା କରି ଅନ୍ୟ ଏକ ସ୍ଥାନରୁ ଏକ କଲରାପତରିଆ ବାଘ ଚମଡା ବି ଜବତ କରିଛି ଏସଟିଏଫ ଟିମ୍‌ । ଗତକାଲି ୧୦ ଲକ୍ଷ ଟଙ୍କାରେ ଏକ ମହାବଳ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍‌ ଚାଲିଥିବା ଏସ୍‌ଟିଏଫ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା ।

ଏହାପରେ ସ୍ଥାନୀୟ ଜଙ୍ଗଲ ବିଭାଗ ସହାୟତାରେ ଏସ୍‌ଟିଏଫ ରେଡ କରି ମହାବଳ ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା । ତାଙ୍କୁ ପଚରାଉଚରା କରିବା ପରେ ବୌଦ୍ଧ-ସୋନପୁର ଜିଲ୍ଲା ସୀମାରେ ଏକ କଲରାପତରିଆ ବାଘ ଚମଡ଼ା ବିକ୍ରି ହେଉଥିବା ସୂଚନା ମିଳିଲା । ଏହାପରେ ଏସଟିଏଫ ତୁରନ୍ତ ସେଠାରେ ଚଢ଼ାଉ କରି ଉକ୍ତ ଚମଡ଼ାକୁ ବି ନିଜ ଅଧୀନକୁ ନେଇଥିବା ସହ ଜଣଙ୍କୁ ଗିରଫ କରିଛି । ମହାବଳ ଓ କଲରାପତରିଆ ବାଘ ଚମଡ଼ା ଜବତ ଘଟଣାରେ ଏସଟିଏଫ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାଯାଇଛି ।

ଏହା ପୂର୍ବରୁ ଡିସେମ୍ବର ୧୪ ତାରିଖରେ ଉଦଳାରୁ ପ୍ରଥମ ମହାବଳ ବାଘ ଚମଡ଼ା ଏସ୍‌ଟିଏଫ ଜବତ କରିଥିଲା । ଏବେ ପୁଣି ବୌଦ୍ଧରୁ ମହାବଳ ବାଘ ଚମଡା ଜବତ ଘଟଣା ଜଙ୍ଗଲରେ ମହାବଳଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛି ।ରାଜ୍ୟରେ ବାରମ୍ବାର ମହାବାଳ ବାଘ ସମେତ ଅନ୍ୟ ବାଘଙ୍କ ଚମଡ଼ା ଜବତ ହେଉଥିବା ବେଳେ ଶିକାରୀଙ୍କ ପାଦ୍ରୂଭାବ ବୃଦ୍ଧି ପାଇଥିବା ସ୍ୱଷ୍ଟ ହୋଇଛି । ହେଲେ ଏହି ସମସ୍ତ ଘଟଣାରେ ଜଙ୍ଗଲ ବିଭାଗ ଭୂମିକା ସନ୍ଦେହ ଘେରକୁ ଟାଣି ହୋଇ ଯାଇଛି । ଜଙ୍ଗଲ ବିଭାଗ ଅଗୋଚରରେ କିପରି ବାଘ, ହାତୀ ଶିକାର ହୋଇ ସେମାନଙ୍କ ଚମଡ଼ା, ଦାନ୍ତ ଆଦି ବିକ୍ରି ହୋଇ ଯାଉଛି ତାହା ସହଜେ ବିଶ୍ୱାସ କରି ହେଉନି ।