ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ପଡ଼ିଗଲା ହାତୀ

0
145
ବାରହା ଶିକାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୦୯/୦୧) : ବାରହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ । ହେଲେ ତାର ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ ।

ସମ୍ବଲପୁର ସଦର ରେଞ୍ଜରୁ ଗତକାଲି ଏକ ହାତୀର ମୃତଦେହ ଠାବ ହେବା ପରେ ଜଣାପଡ଼ିଛି ଏହାର ମୃତ୍ୟୁର ରହସ୍ୟ । ସଦର ରେଞ୍ଜ ଭୀମଖୋଜ ଜଙ୍ଗଲରୁ ମୃତହାତୀଟି ଠାବ ହୋଇଛି । ଏହା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମରିଥିବା ଜଣାପଡ଼ିଛି । ତେବେ କୌଣସି ଦୁର୍ଘଟଣାବଶତଃ ନୁହେଁ, ବରଂ ୧୧ କେଭି ତାରକୁ ବାରହା ଶିକାର ପାଇଁ ବିଛା ଯାଇଥିବା ଆଶଙ୍କା କରାଯାଉଛି । ବିଦ୍ୟୁତ୍‌ ତାର ବିଛାଇବା ଅଭିଯୋଗରେ ଖଇରମାଳ ଗାଁ’ର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନ ବିଭାଗ । ଗତ ୬ ତାରିଖରୁ ହାତୀକୁ ଟ୍ରାକ୍ କରୁଥିଲେ ମଧ୍ୟ, ବନବିଭାଗ କର୍ମଚାରୀ ତାର ଖୋଜଖବର ପାଉନଥିଲେ ।

ଡିଏଫ୍ଓଙ୍କ ସୂଚନା ଅନୁସାରେ, ଗତ ୬ ତାରିଖରେ ଅଭିଯୁକ୍ତମାନେ ବାରହା ଶିକାର କରିବାକୁ ବିଦ୍ୟୁତ୍‌ ତାରର ଫାଶ ବିଛାଇଥିଲେ । ହେଲେ ହାତୀଟି ତାର ସଂସ୍ପର୍ଶରେ ଆସିଯାଇଥିଲା । RCCF, DFO, ACF ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ ହୋଇଛି । ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଏଫଓ ।