ଭିଜିଲାନ୍ସ ଜାଲରେ କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ

0
278
ଭିଜିଲାନ୍ସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ରାୟଗଡ଼ା, (୦୯/୦୧) : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ଅଧିକାରୀ । ତାଙ୍କ ନାଁ କିଶୋରଚନ୍ଦ୍ର ନାୟକ । ସେ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ୍‌ର ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ରବିବାର ରାତି ପ୍ରାୟ ୯ଟା ବେଳେ ଶ୍ରୀ ନାୟକ ବୁଲେଟ୍ ଯୋଗେ ରାୟଗଡ଼ା ସ୍ଥିତ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ଅରବିନ୍ଦ ସ୍କୁଲ୍ ନିକଟରେ ତାଙ୍କୁ ଅଟକାଇଥିଲେ ଭିଜିଲାନ୍ସ ଟିମ୍‌ । ଯାଞ୍ଚ ବେଳେ ତାଙ୍କ ନିକଟରୁ ୫ ଲକ୍ଷ ୪ ହଜାର ୫୬୦ ଟଙ୍କା ବାହାରିଥିଲା । ଏକ କଳା ବ୍ୟାଗରେ ସେ ଏହି ଟଙ୍କା ରଖିଥିଲେ । ଏତେ ଟଙ୍କା ସେ କେଉଁଠୁ ଆଣିଲେ ଓ କାହିଁକି ଏହାର ଆବଶ୍ୟକତା ପଡ଼ିଲା ବୋଲି ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ପଚାରିଥିଲେ । କିନ୍ତୁ ଶ୍ରୀ ନାୟକ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।

ଏହା ପରେ ଭିଜିଲାନ୍ସଟିମ୍ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ଭଡ଼ା ଘରେ ଚଢ଼ାଉ କରିଥିଲା । ସେଠାରେ ଯାଞ୍ଚ ବେଳେ ନଗଦ ୬ ଲକ୍ଷ ୩୦ ହଜାର ଟଙ୍କା ମିଳିଥିଲା । ଅର୍ଥାତ୍ ଶ୍ରୀ ନାୟକଙ୍କ ଠାରୁ ମୋଟ ୧୧ ଲକ୍ଷ ୩୪ ହଜାର ୫୬୦ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହା ସହିତ ଭୁବନେଶ୍ୱରର ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା କିଶୋର ବିହାର ସ୍ଥିତ ତାଙ୍କ ପତ୍ନୀଙ୍କ ବାସଭବନରେ ମଧ୍ୟରେ ଭିଜିଲାନ୍ସପକ୍ଷରୁ ଚଢ଼ାଉ କରାଯାଇ ଯାଞ୍ଚ କରାଯାଇଥିଲା । ଶ୍ରୀ ନାୟକଙ୍କର ନବରଙ୍ଗପୁରର ମନ୍ତ୍ରୀଗୁଡ଼ା ସ୍ଥିତି ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରାଯାଇଥିଲା । କିଶୋରଚନ୍ଦ୍ର ନାୟକଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଗତକାଲି ଠାରୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଗିରଫ କରିଛନ୍ତି ।

ରାୟଗଡ଼ା ଭିଜିଲାନ୍ସ ଡିଏସ୍‌ପି ସୁରେନ୍ଦ୍ର ନାଥ ରାଜଗୁରୁ କହିଛନ୍ତି, ତିନି ଦିନ ତଳେ ଆମ ପାଖକୁ ଖବର ଆସିଥିଲା ଯେ କୋଲନରା ବ୍ଳକ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ କିଶୋରଚନ୍ଦ୍ର ନାୟକ ହିତାଧିକାରୀମାନଙ୍କ ଠାରୁ ଟଙ୍କା ନେଉଛନ୍ତି । ଏହା ପରେ ଆମେ ଏକ ଟିମ୍ ଗଠନ କରି ଗତକାଲି ରାତିରେ ସେ ତାଙ୍କ ଭଡ଼ା ଘରକୁ ଫେରୁଥିବା ବେଳେ ବାଟରେ ଅଟକାଇ ଥିଲୁ । ତାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ପାଇଥିଲୁ । ଏହା ପରେ ତାଙ୍କ ଘରେ ଚଢ଼ାଉ କରିଥିଲୁ । ସେଠାରୁ ୬ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ଘଟଣାର ତଦନ୍ତ ଚାଲିଛି । ସେ ଆହୁରି କହିଛନ୍ତି, ଆଜିକାଲି ଚାଷୀ ବା ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଚାଲିଯାଉଛି । ତେଣୁ ସେ (କିଶୋରଚନ୍ଦ୍ର ନାୟକ) ସେମାନଙ୍କୁ ବିଭିନ୍ନ କଥା କହି ଟଙ୍କା ଆଦାୟ କରୁଥିଲେ । ଆଉ ସେହି ଟଙ୍କାକୁ ନିଜ ଭଡ଼ା ଘରେ ଜମା କରି ରଖୁଥିଲେ ।