ଡିବିରି ଫାଟିଗଲା : ଜଣେ ମୃତ, ୩ ଗୁରୁତର

0
102
ଡିବିରି

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭଞ୍ଜନଗର, (୧୭/୦୧) : ଡିବିରି ଫାଟିଯିବାରୁ ନିଆଁ ଲାଗି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବନ୍ଧାଗୋଚ୍ଛା ଗାଁ’ରେ ଏହି ଘଟଣା ଘଟିଛି ।

ମୃତାହତମାନେ ଗୋଟିଏ ପରିବାର ର । ମୃତକଙ୍କ ନାଁ ଅଞ୍ଜଳି ନାଇକ । ତାଙ୍କୁ ମାତ୍ର ୪ ବର୍ଷ ହୋଇଥିଲା । ଆହତ ମାନେ ହେଲେ ତାଙ୍କ ମା’ ସୁଷମା ନାଇକ, ଅଜା ଛବି ନାଇକ ଓ ଆଈ ଧୋବୁଣି ନାଇକ । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବନ୍ଧାଗୋଚ୍ଛା ଗାଁ’ରେ ହାତୀ ଚଳପ୍ରଚଳ ଯୋଗୁଁ ଗତକାଲି ବନ ବିଭାଗ ପକ୍ଷରୁ ସେଠାରେ ବିଦ୍ୟୁତ୍‌ କାଟ କରାଯାଇଥିଲା । ଲାଇନ୍ ନଥିବାରୁ ତଥା କିରୋସିନ ଶେଷ ହୋଇଯାଇଥିବାରୁ ପେଟ୍ରୋଲରେ ଡିବିରି ଜଳାଇ ଗୋଟିଏ ରୁମ୍‌ରେ ଶୋଇଥିଲେ ଛବି, ତାଙ୍କ ଝିଅ ଓ ନାତୁଣୀ । ଏହି ସମୟରେ ଡିବିରି ଟି ଫାଟିଯାଇ ଘରେ ନିଆଁ ଲାଗିଯାଇଥିଲା । ଡିବିରି ପାଖରେ ଶୋଇଥିବା ସୁଷମା ଓ ତାଙ୍କ ଝିଅ ଅଞ୍ଜଳିଙ୍କ ଦେହରେ ନିଆଁ ଲାଗିଯାଇଥିଲା । ଝିଅ ଓ ନାତୁଣୀକୁ ବଞ୍ଚାଇବାକୁ ଯାଇ ଛବି ମଧ୍ୟ ପୋଡ଼ି ଯାଇଥିଲେ ।

ସେମାନଙ୍କ ପାଟିଶୁଣି ଛବିଙ୍କ ସ୍ତ୍ରୀ ଧୋବୁଣି ସେଠାକୁ ଦୌଡ଼ି ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ତେବେ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗି ଯାଇଥିଲା । ପାଟି ଶୁଣି ଗାଁ ଲୋକେ ପହଞ୍ଚି ୪ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋରଡ଼ା ମେଡିକାଲକୁ ନେଇଥିଲେ । ସୁଷମା ଓ ତାଙ୍କ ଝିଅ ଅଞ୍ଜଳିଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରୁ ସେମାନଙ୍କୁ କଟକ ଏସ୍‌ସିବିକୁ ପଠାଯାଇଥିଲା । ଆଜି ସକାଳେ ସେଠାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଯାଇଛି । ସୋରଡ଼ା ଥାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି ।