ପୁରୁଣା ବୋରିଗୁମ୍ମା ରେ ଜଳ ସଂକଟ, ରାସ୍ତା ରୋକ କଲେ ଉତ୍ତ୍ୟକ୍ତ ମହିଳା

0
187
ପୁରୁଣା

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୧୭/୨) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରୁ ୧ କିଲୋମିଟର ଦୁରରେ ଥିବା ପୁରୁଣା ବୋରିଗୁମ୍ମା ଗ୍ରାମରେ ଦୁଇଟି ନଳକୂପ ଅଚଳ ହୋଇ ଯାଇଥିବାରୁ ଅନେକ ଦିନ ଧରି ଜଳ ସଂକଟ ଲାଗି ରହିଛି ।

ଗ୍ରାମ ବାସୀଙ୍କ ଅଭିଯୋଗ ପ୍ରକାରେ ଏ ନେଇ ଅନେକ ଥର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଛି । ଶେଷ ଥର ପାଇଁ ୩ ଦିନ ତଳେ ଅଭିଯୋଗ ପୁନରାବୃତ୍ତି କଲା ପରେ ମଧ୍ୟ ସମସ୍ୟାର ସମାଧାନ ପାଇଁ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କିମ୍ବା ବ୍ଲକ ପ୍ରଶାସନର ତତ୍ପରତା ପ୍ରକାଶ ପାଇଲା ନାହିଁ କିମ୍ବା ନଳକୂପ ମରାମତି ପାଇଁ କୌଣସି ଉପକ୍ରମ ଆରମ୍ଭ ହେଲା ନାହିଁ । ତେଣୁ ପୁରୁଣା ବୋରିଗୁମ୍ମା ଗ୍ରାମର ଶତାଧିକ ମହିଳା ପାଣି ଗରା ରାସ୍ତା ଉପରେ ରଖି ଆଜି ସକାଳ ୬ ଘଣ୍ଟା ସମୟରୁ ରାସ୍ତା ରୋକ କରିଛନ୍ତି ।

ଫଳରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ବୋରିଗୁମ୍ମା ଠାରୁ ବି.ସିଂହପୁର ରାସ୍ତାରେ ଯାତାୟତ ବ୍ୟାହତ ହୋଇଛି । ଅଞ୍ଚଳର ସମସ୍ତ ଲୋକ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଦିନ ୧୧ ଘଣ୍ଟା ସୁଦ୍ଧା ଆନ୍ଦୋଳନ ପ୍ରତ୍ୟାହାର କରାଯାଇ ନ ଥିବା ଜଣାପଡିଛି । ବିଭିନ୍ନ ଜିଲ୍ଲାରୁ ଆସି ଚାକିରି କରୁଥିବା ଶିକ୍ଷା ବିଭାଗର ଅନେକ କର୍ମଚାରୀ, ଯେଉଁମାନେ କି ବୋରିଗୁମ୍ମାରେ ରହି ସ୍କୁଟି ଓ ବାଇକ୍ ଦ୍ୱାରା ପ୍ରତିଦିନ ଯାତାୟତ କରନ୍ତି, ତଥା ଅନ୍ୟାନ୍ୟ ବିଭାଗୀୟ ସରକାରୀ କର୍ମଚାରୀ ମାନେ ବିଶେଷ କରି ପ୍ରାୟ ୧୭ ଟି ପଞ୍ଚାୟତର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟକୁ ଯାଇ ପାରି ନ ଥିବା ଜଣାପଡିଛି ।