ଘରୋଇ ହଷ୍ଟେଲରେ ପୁଅକୁ ହତ୍ୟା : ଅଭିଯୋଗ ଆଣିଲେ ବାପା

0
122
ଘରୋଇ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୩/୦୩) : ଘରୋଇ ହଷ୍ଟେଲରେ ଛାତ୍ରଙ୍କୁ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ବିଳମ୍ବିତ ରାତିରେ ଛାତ୍ରର ମୃତ୍ୟୁ,ଏ ନେଇ ପରିବାର ଲୋକଙ୍କୁ ସାମାନ୍ୟତମ ଖବର ନଦେଇ ମେଡିକାଲ ଆଣିବା ଓ ସୌଭାଗ୍ୟ ବଶତଃ ପରିବାର ଲୋକେ ଠିକ ସମୟରେ ମେଡିକାଲରେ ପହଞ୍ଚିବା ପରେ ଘରୋଇ କୋଚିଂ ସେଣ୍ଟର ମାଲିକ ଓ ଦୁଇ ଛାତ୍ର ଘଟଣା ସ୍ଥଳରୁ ଫେରାର ହୋଇଯିବା ନେଇ ବଢିଛି ସନ୍ଦେହ ।

ଘରୋଇ ହଷ୍ଟେଲରେ ପୁଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପା । ଯେଉଁଥିପାଇଁ କୋଚିଂ ସେଣ୍ଟର ମାଲିକ ଏବଂ ଦୁଇ ଛାତ୍ରଙ୍କ ନାଁ ରେ ହତ୍ୟା ଅଭିଯୋଗ ଆଣିଛନ୍ତି ଛାତ୍ରର ବାପା । ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଫୋରଡ଼ ଗାଁ’ର ସୁବାଷ ଚନ୍ଦ୍ର ମୁଦୁଲି ଜଣେ ଅଟୋ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଏକମାତ୍ର ପୁଅ ସୁବ୍ରତ ମୁଦୁଲି ଆୟବାସ୍ଥିତ +୨ ବିଜ୍ଞାନ ଉଚ୍ଚ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଗତ ଦୁଇବର୍ଷ ହେବ ପାଠ ପଢି ଆସୁଥିଲେ । ବିଜ୍ଞାନରେ କୋଚିଂ ପାଇଁ ବାପା ସୁବାଷ ପୁଅ ସୁବ୍ରତଙ୍କୁ କେନ୍ଦ୍ରାପଡ଼ା କଜଳା ସ୍ଥିତ କ୍ୟାରିଅର ପାୱାର ନାମକ ଶିକ୍ଷାନୁଷ୍ଠାନରେ ଭର୍ତ୍ତି କରିଥିଲେ । ବିଗତ ଦୁଇବର୍ଷ ମଧ୍ୟରେ ବିଭିନ୍ନ ସମୟରେ ପୁଅକୁ ହଇରାଣ କରାଯାଉଥିଲେ ମଧ୍ୟ ପାଠପଢା ଚାଲିଥିବାରୁ ସୁବାଷ କାହାକୁ କିଛି କହୁନଥିଲେ ।

ତେବେ ଗତକାଲି ପୁଅକୁ କୋଚିଂ ସେଣ୍ଟରରେ ସକାଳ ୮ରେ ଛାଡିଥିଲେ । ପ୍ରାୟ ରାତି ୧୦ରେ ପତ୍ନୀଙ୍କ ଶରୀର ଅସୁସ୍ଥ ହେବାରୁ ସୁବାଷ ତାଙ୍କୁ ଧରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ପତ୍ନୀଙ୍କୁ ଦେଖାଇବା ପରେ କୋଚିଂ ସେଣ୍ଟର ମାଲିକ ଆଶିଷ ସ୍ୱାଇଁ ଓ ଦୁଇଜଣ ଛାତ୍ରଙ୍କୁ ତାଙ୍କ ପୁଅକୁ ମେଡିକାଲ ଆଣିଥିବା ଓ ପୁଅ ମେଡିକାଲ ଚେୟାରରେ ଶୋଇଥିବା ଦେଖିଥିଲେ । କାହାରିକୁ କିଛି ପଚାରିବା ପୂର୍ବରୁ ମାଲିକ ଆଶିଷ ସ୍ୱାଇଁ ଓ ଦୁଇଜଣ ଛାତ୍ର ମେଡିକାଲ ପରିସରରୁ ଦୌଡ଼ି ପଳାଇଥିଲେ । ପରେ ସୁବାଷ ଡାକ୍ତରଙ୍କୁ ଡାକି ପୁଅକୁ ଦେଖାଇବା ପରେ ଡାକ୍ତର ପୁଅ ସୁବ୍ରତକୁ ସେଠାରେ ମୃତ ଘୋଷଣା କରିଥିଲେ ।

ଅନ୍ୟପଟେ ଗତକାଲି ରାତି ୧୨ରେ ଟାଉନ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହି କୋଚିଂ ସେଣ୍ଟର ଅବସ୍ଥାପିତ ଅଞ୍ଚଳଟି ଟାଉନ ଥାନା ଅଧିନରେ ଆସୁନଥିବାରୁ ଆଜି ପୂର୍ବାହ୍ନରେ ପୁନଃ ସଦର ଥାନାରେ ଅଭିଯୋଗ କରିଥିଲେ ମୃତ ସୁବ୍ରତଙ୍କ ବାପା ସୁବାଷ ମୁଦୁଲି । କୋଚିଂ ସେଣ୍ଟର ମାଲିକ ଆଶିଷ ସ୍ୱାଇଁ ସ୍ଥାନୀୟ କଜଳା ଅଞ୍ଚଳରେ ତିନି ତିନିଟା ସ୍ଥାନରେ ବେଆଇନ କୋଚିଂ ସେଣ୍ଟର ଖୋଲିଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଶିକ୍ଷାନୁଷ୍ଠାନକୁ ବ୍ୟବସାୟ କରିଥିବା ଏଭଳି ମାଲିକଙ୍କ ବିରୋଧରେ କୌଣସି ପଦକ୍ଷେପ ନ ନିଆଯିବାରୁ ଏଭଳି ଘଟଣା ଘଟୁଥିବା କହିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଜଣେ ଛାତ୍ରର ଏଭଳି ସନ୍ଦେହଜନକ ମୃତ୍ୟୁ ଓ କୋଚିଂ ସେଣ୍ଟର ମାଲିକଙ୍କ ନାଁରେ ହତ୍ୟା ଅଭିଯୋଗ ଆସିବା ପରେ କୋଚିଂ ସେଣ୍ଟର ଛାଡୁଛନ୍ତି ଛାତ୍ର। ସଦର ପୋଲିସ ଏନେଇ ୨୩୧/୨୩ରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ କରୁଛି ।