ଲୋକ ମହୋତ୍ସବ ‘ମାଲେଶ୍ରୀ’ ଉଦଘାଟିତ

0
74
ଲୋକ ମହୋତ୍ସବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୭/୦୪) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଅଷ୍ଟମ ଲୋକ ମହୋତ୍ସବ ‘ମାଲେଶ୍ରୀ-୨୦୨୩ ‘ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି ।

ବୀର ମାଟି ବୀରମହାରାଜପୁର ଆଜି ଦୁଲୁକି ଥିବା ବେଳେ ୨ ଶିଶୁ କନ୍ୟାଙ୍କ ମୃତ୍ୟୁ ଉତ୍ସବକୁ ଫିକା କରିଛି । ସେମାନଙ୍କର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଛି । ବୀରମହାରାଜପୁର ଲୋକ ମହୋତ୍ସବ କମିଟି, ଓଡ଼ିଶା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ତଥା ଓରମାସର ସହଯୋଗରେ ଆୟୋଜିତ ମାଲେଶ୍ରୀ ମହୋତ୍ସବ ଉଦଘାଟନୀ ଉତ୍ସବକୁ ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ଉଦଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ (ରାଜସ୍ୱ) ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ମହୋତ୍ସ କମିଟିର ଅଧ୍ୟକ୍ଷ ତଥା ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ ।‌ ପ୍ରଭାସ ଦାସ ଓ ସାଥୀ ‘ ଆଇଲା ମାଲେଶିରି ତିହାର’ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ମହୋତ୍ସବର ପରିଚାଳନା କମିଟି ସମ୍ପାଦକ ସ୍ଵୟମ୍ଭୁନାଥ ଖଣ୍ଡଗିରି ସ୍ୱାଗତ ଭାଷଣ ଦେଇଥିଲେ । ହୃଷିକେଶ ଚାନ୍ଦ ସଭାର ସଂଯୋଜନା କରିଥିବା ବେଳେ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଠଶିଳ୍ପୀ ଶତୃଘ୍ନ ଲୁହାଙ୍କ ଦ୍ୱାରା ପ୍ରଥମେ ମାଲେଶ୍ରୀ ବନ୍ଦନା ‘ତୋର ପାଦେ ଜନାନ’ ଗାନ କରାଯାଇଥିଲା ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶଶିମଣି ଓ ସାଥୀ ଓଡ଼ିଶୀ ନୃତ୍ୟ, ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିନିକାର ମାହେଶ୍ୱରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ, ସମ୍ବଲପୁରର ଲହରୀ ଅନୁଷ୍ଠାନ, ବରଗଡ ନୁପୁର କଳା ପରିଷଦ ସମ୍ବଲପୁରୀ ନୃତ୍ୟ ସାଙ୍ଗକୁ ସ୍ଥାନୀୟ କଳାକାର ଙ୍କ କରମସାନୀ ଓ ଶବର- ଶବରୀ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରୀତିମୟୀ ମିଶ୍ର, ଅବିନାଶ ହୋତା ଓ ଲକ୍ଷ୍ମୀନାରାୟଣ ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା । ବିଭିନ୍ନ ଷ୍ଟଲରେ ପଲ୍ଲୀଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଉତ୍ସବର ଅନ୍ୟତମ ଆକର୍ଷଣ ।