ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତ

0
110
ପଞ୍ଜାବର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୬/୦୪) : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳିଦଳ ନେତା ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି ।

ମୋହାଲିର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିଲା । ସେ ବୟସ ଜନିତ ରୋଗ ଓ ଶ୍ୱାସକ୍ରିୟା ଜନିତ ରୋଗରେ ପୀଡ଼ିତ ଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ ଗତ କିଛି ଦିନ ହେବ ନିଶ୍ଵାସ ନେବାରେ ଅସୁବିଧା ହେଉଥିଲା । ଶ୍ଵାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରେ ମୋହାଲିର ଫୋର୍ଟିସ୍ ହସ୍ପିଟାଲରେ ପ୍ରକାଶ ସିଂହ ବାଦଲ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

ଅକାଳୀ ଦଳର ଏହି ବରିଷ୍ଠ ନେତା ୫ ଥର ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଥିଲେ । ପ୍ରକାଶ ସିଂ ବାଦଲ ୧୯୨୭ ଡିସେମ୍ବରରେ ପଞ୍ଜାବର ଏକ ଛୋଟ ଗାଁ’ରେ ଜନ୍ମଗ୍ରହଣ କରିଥିଲେ । ଶ୍ରୀ ବାଦଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକଟ କରିଛନ୍ତି । ଏକ ଟୁଇଟ୍ କରି ମୋଦି ଲେଖିଛନ୍ତି ଯେ ସେ ଭାରତୀୟ ରାଜନୀତିରେ ଜଣେ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଥିଲେ ଓ ଜଣେ ରାଷ୍ଟ୍ରନେତା ଥିଲେ । ସେ ପଞ୍ଜାବର ବିକାଶ ପାଇଁ କାର୍ଯ୍ୟ କରିଥିଲେ । ବାଦଲଙ୍କ ପରଲୋକ ବ୍ୟକ୍ତିଗତ ଭାବେ ତାଙ୍କ ପାଇଁ ଏକ କ୍ଷତି ବୋଲି ମୋଦୀ ଲେଖିଛନ୍ତି ।