ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ଆନ୍ଧ୍ର ଡାକ୍ତରଙ୍କ କବଜାରେ ହଜାର ହଜାର ଏକର ଜମି

0
140
ସୀମାନ୍ତରେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୩୦/୦୪) : ଗୁଣପୁର ଉପଖଣ୍ଡ ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା । ପୂର୍ବପୁରୁଷ ଛାଡିଯାଇଥିବା ହଜାର ହଜାର ଏକର ଜମି ଏବେ ପଡୋଶୀ ଆନ୍ଧ୍ରପ୍ରଦେଶର ଜଣେ ଡାକ୍ତରଙ୍କ ହାତରେ ।WhatsApp Image 2023 04 29 at 11.39.18 ସୀମାନ୍ତରେ ଆଦିବାସୀଙ୍କୁ ପ୍ରତାରଣା : ଆନ୍ଧ୍ର ଡାକ୍ତରଙ୍କ କବଜାରେ ହଜାର ହଜାର ଏକର ଜମି

ପାମୋଲିନ ଚାଷ ନାମରେ ୨୫ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ନିଜ କବଜାରେ ରଖିଛନ୍ତି ପାର୍ବତିପୁରର ଜଣେ ଡାକ୍ତର ଡି ରାମମୋହନ ରାଓ । ପ୍ରତ୍ୟେକ ମାସରେ ଏକର ପିଛା ଏକାଧିକ ଥର ଏହି ଗଛ ମାନଙ୍କରୁ ପାମୋଲିନ ମଞ୍ଜି ଉତ୍ପାଦନ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଜମି ବାବଦକୁ ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ୪ ରୁ ୬ ହଜାର ଟଙ୍କା ବାର୍ଷିକ ଦେଇ ଠକି ଚାଲିଛନ୍ତି ଏହି ଡାକ୍ତର ଜଣକ । ଆଉ ଶାନ୍ତ ଓ ସରଳତାର ସୁଯୋଗ ନେଇ ବର୍ଷକରେ ଥରେ ଆସି ଆଦିବାସୀ ଲୋକଙ୍କୁ ମନ୍ଦିର ବେଢ଼ାରେ ବସାଇ ଲେଖାଇନେଉଛନ୍ତି ବୋଲି ଆଦିବାସୀମାନେ ଅଭିଯୋଗ କରିଛନ୍ତି ।

ରାୟଗଡା ଓ ଆନ୍ଧ୍ର ପ୍ରଦେଶ ସୀମାନ୍ତରେ ଆଦିବାସୀଙ୍କ ଅସରନ୍ତି କାହାଣୀ । ଏବେ ସୀମା ସେପାଖ ଶିକ୍ଷିତ ଦଳେ ଡାକ୍ତର ଆଦିବାସୀ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଆଉ ନେତୃତ୍ୱ ନେଇଛନ୍ତି ଆନ୍ଧ୍ରପ୍ରଦେଶ ପାର୍ବତିପୁରର ଡାକ୍ତର ଡି ରାମମୋହନ ରାଓ । ଏହି ଜିଲ୍ଲାର ମାଟି, ବଂଶଧାରା ନଦୀର ପାଣି ଆଉ ଏଠାକାର ପବନ ବିନିମୟରେ ପାମୋଲିନ ଉତ୍ପାଦନ କରୁଛନ୍ତି । ଜମି ବାବଦକୁ ଚାଷୀଙ୍କ ଜମିକୁ ୧୭ରୁ ୨୫ବର୍ଷ ଧରି ନିଜ କବଜାରେ ରଖି ଏହି ଜିଲ୍ଲାର ଆଦିବାସୀଙ୍କୁ ବର୍ଷ ବର୍ଷ ଧରି ଶୋଷଣ କରିଆସୁଛନ୍ତି । କୌଣସି ସଠିକ ନଥିପତ୍ର ନାହିଁ କି ନିବନ୍ଧକ କାର୍ଯ୍ୟାଳୟରେ ଚୁକ୍ତିନାମା ଲେଖାପଢ଼ା ବି ନାହିଁ । ଚୁକ୍ତିନାମା ନାମରେ ମନ୍ଦିର ପିଣ୍ଡାରେ ବସାଇ ନେଇଯାଉଛନ୍ତି ଲୋକଙ୍କ ଦସ୍ତଖତ । ଗୁଣପୁର ଉପଖଣ୍ଡର ଜଗନ୍ନାଥପୁର, ମାଛଖୁଣ୍ଟି, ଭାଲେରି, ସୁଭଦ୍ରାପୁର, ଆଦି ୧୦ରୁ ଅଧିକ ଗାଁର ଆଦିବାସୀଙ୍କ ହଜାର ହଜାର ଏକର ଜମିରେ ୧୫/୧୭ ବର୍ଷ ଧରି ଏପରିକି ଆଉ କିଛି ଚାଷୀଙ୍କ ଜମିରେ ୨୩/୨୪ ବର୍ଷ ଧରି ଏହି ଗଛ ଲଗାଇ କରିଆସୁଛନ୍ତି ଲୁଣ୍ଠନ ।

ଜଗନ୍ନାଥପୁର ଗ୍ରାମର ଆଦିବାସୀ ଚାଷୀ ଶ୍ରୀ ଅଙ୍ଗଦ ଶବରଙ୍କ ଶାଶୁଙ୍କ ଜମି ଗତ ୧୭ବର୍ଷ ଧରି ଡାକ୍ତର ଡି ରାମମୋହନ ରାଓଙ୍କ ପାଖରେ ବନ୍ଧା ପଡିଛି ବୋଲି ସେ ନିଜେ ଅଭିଯୋଗ କରିଛନ୍ତି । ତାଙ୍କ ୨ ଏକର ଜମିରେ ଏହି ଗଛ ଲଗାଯାଇଛି । ଗଛ ଲଗାଇବା ବେଳେ ଏକରକୁ ବାର୍ଷିକ ୩୦୦୦ଟଙ୍କା ଦେଉଥିବା ବେଳେ ୧୭ବର୍ଷ ପରେ ଜମି ବାବଦକୁ ମାତ୍ର ୬ହଜାର ଟଙ୍କା ଦେଉଥିବା ଅଙ୍ଗଦ କହିଛନ୍ତି । ବାରମ୍ବାର ଜମି ମାଗିବା ପରେ ମଧ୍ୟ ୨୫ବର୍ଷର ଚୁକ୍ତି ହୋଇଥିବା କଥା କହି ସମ୍ପୃକ୍ତ ଡାକ୍ତର ଜମି ଫେରାଉନାହାନ୍ତି । ନିଜର ଜମି ଅନ୍ୟକୁ ଦେଇ ବର୍ତ୍ତମାନ ଅନ୍ୟର ଜମି ଭାଗଚାଷକରି ସେଥିରେ ଗୁଜୁରାଣ ମେଣ୍ଟାଉଥିବା ଆଦିବାସୀ ଯୁବକ ଅଙ୍ଗଦ ଅଭିଯୋଗ କରିଛନ୍ତି । ସେହିପରି ଗାଁର ଆଦିବାସୀ ଚାଷୀ ନିମାଲ ଶୁକ୍ରୁଙ୍କ ଜମିକୁ ମଧ୍ୟ ପାର୍ବତିପୁରର ଡାକ୍ତର ରାମମୋହନ ରାଓ ଗତ ୧୭ବର୍ଷ ଧରି ନିଜ କବଜାରେ ରଖିଛନ୍ତି । ଆଉ ୨୫ବର୍ଷକୁ କଣ୍ଟ କରି ପ୍ରତିବର୍ଷ ଆସି ମନ୍ଦିର ମଣ୍ଡପରେ ବସି ୬୦୦୦ଟଙ୍କା ହାତରେ ଧରାଇ ଆଗାମୀ ଏକବର୍ଷ ପାଇଁ ନିଜର କରିନେଇଛନ୍ତି ।

ଆଦିବାସୀ ଜମି ସମେତ ସାଧାରଣ ବର୍ଗର ଲୋକଙ୍କ ପ୍ରାୟ ୨୦୦୦ ଏକର ଜମିକୁ ଲିଜର ଦ୍ୱାହି ଦେଇ ଗତ ୧୭ବର୍ଷ ଧରି ନିଜ ଅଧିନରେ ରଖିଛନ୍ତି ଏହି ଡାକ୍ତର ବାବୁ ଜଣକ । ଜଗନ୍ନାଥପୁର ଗାଁ’ର ପ୍ରଦୀପ ଗୌଡଙ୍କ ୭ ଏକର ଜମିକୁ ଗତ ୧୭ ବର୍ଷ ଧରି କବଜାରେ ରଖିଛନ୍ତି । ନିଜ ଜମି ଉଚ୍ଚ ଦରରେ ବିକ୍ରୀ କରିବା ଉଦ୍ଦେଶ୍ୟରେ ଗୋଟିଏ ଏକର ଛାଡିବା ପାଇଁ ଅନୁରୋଧ କରିବା ପରେବି ସେ ମାନିନଥିଲେ । ଯଦି ଗୋଟିଏ ଏକର ଜମି ଦରକାର, ତେବେ ୨୦ଲକ୍ଷ ଟଙ୍କା ଦେଲେ ସେ ଜମି ଛାଡିବେ ବୋଲି ଧମକପୂର୍ଣ୍ଣ ଭାବେ କହିଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ସେହିପରି ମାଛଖୁଣ୍ଟି ଗାଁ ମୁଣ୍ଡଠାରୁ ବଂଶଧାରା ନଦୀପଠା ପର୍ଯ୍ୟନ୍ତ ୨୦୦ଏକର ଜମିରେ ମଧ୍ୟ ପାମୋଲିନ ଗଛ ଲଗାଯାଇଛି । ଗୋଟିଏ ଏକର ଜମିରେ ଲାଗିଥିବା ଗଛରୁ ବାର୍ଷିକ ପ୍ରାୟ ୪ଥର ପାମୋଲିନ ଫଳ ତୋଳାଯାଏ । ଗୋଟିଏ ଗଛରୁ ଥରଟିଏ କାଟି ବିକ୍ରୀ କରିବା ପରେ ୨୦ହଜାର ଟଙ୍କା ମିଳୁଥିବା ମାଛଖୁଣ୍ଟି ଗାଁର ଶ୍ରୀ ମହେଶ ହୁଇକା କହିଛନ୍ତି । ବର୍ଷତମାମ ବିକ୍ରୀପରେ ଏକ ଏକର ଜମିରୁ ପ୍ରାୟ ୧୫ରୁ ୨୭ଲକ୍ଷ ଟଙ୍କା ମିଳୁଥିବା ସେ କହିଛନ୍ତି । ତେବେ ମାଛଖୁଣ୍ଟି ଗାଁରେ ଗତ ୨୫ବର୍ଷ ଧରି ପାମୋଲିନ ଗଛ ଲାଗିଥିବା ବେଳେ ଆଗକୁ ସେହି ଡାକ୍ତର ପୁଣି ନିଜ ପାଇଁ ଲୋକଙ୍କ ସହ ଚୁକ୍ତି କରାଇନେବେ ବୋଲି ସେ କହିଛନ୍ତି । ଶୁଣିବାକୁ ମିଳିଛି ଯେ କିଛି ସରକାରୀ ଜମି ମଧ୍ୟ କବଜାକୁ ନେଇ ବର୍ଷ ବର୍ଷ ଧରି ପାମୋଲିନ ଚାଷ କରିଆସୁଛନ୍ତି ଡାକ୍ତର ରାଓ ।

ଓଡିଶା ସିଡ୍ୟୁଲଡ ଏରିଆସ ଟ୍ରାନ୍ସଫର ଅଫ ଇମୁଭେବଲ ପ୍ରପର୍ଟି(ଓ ଏସ ଏ ଟି ଆଇ ପି) ନିୟମ ବଳରେ କୌଣସି ଅଣଆଦିବାସୀ ଆଦିବାସୀ ଜମି କିଣିବା କିମ୍ବା ବନ୍ଧକ ରଖିବାରେ ସରକାରୀ ପ୍ରତିବନ୍ଧକ ରହିଛି । କେବଳ ଚାଷ ରୂଣ ପାଇଁ ଜଣେ ଆଦିବାସୀ ତାର ଚାଷ ଜମିକୁ ବ୍ୟାଙ୍କରେ ବନ୍ଧକ ରଖି ପାରିବ । ଅନ୍ୟ କୌଣସି କାରଣ ପାଇଁ କିମ୍ବା ଜଣେ ଅଣ ଆଦିବାସୀ ଲିଜ ସୂତ୍ରରେ ଆଦିବାସୀ ଜମି ବନ୍ଧକ ରଖିବା ନିୟମ ବିରୁଦ୍ଧ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀ ଲାବଣ୍ୟ ମୋହନ ପଟ୍ଟନାୟକ । ମାତ୍ର ସବୁକିଛି ଆଇନକୁ ଫୁ କରି ଓ ପ୍ରଭୁତ ଭାବେ ବେଆଇନ କାର୍ଯ୍ୟ କରି ଡାକ୍ତର ରାଓ ଆଦିବାସୀଙ୍କ ହଜାର ହଜାର ଏକର ଜମିକୁ ନିଜ ଅଧିନରେ ରଖିଛନ୍ତି ଓ ବେନାମୀ ହଡପ କରିବା ଚକ୍କରରେ ଅଛନ୍ତି । ଏକ ବା ଦୁଇବର୍ଷ ନୁହେଁ ୧୭ରୁ ୨୫ବର୍ଷ ଧରି ଆଦିବାସୀଙ୍କ ଜମିକୁ ନିଜ କବଜାରେ ରଖି ପାମୋଲିନ ଚାଷକରି କୋଟି କୋଟି ଟଙ୍କା ମୁନାଫା ଉଠାଉଛନ୍ତି । ମାତ୍ର ଏ ଜିଲ୍ଲାର ଗରିବ ଯେଉଁ ତିମିରେକୁ ସେ ତିମିରେ । ଲିଜ ଏଗ୍ରୀମେଣ୍ଟ ଚାଷୀଙ୍କ ପାଖରେ ନାହିଁ କି କୌଣସି ନିବନ୍ଧକ କାର୍ଯ୍ୟାଳୟରେ ତାହା କରାଯାଉନାହିଁ । ଡାକ୍ତର ରାଓଙ୍କ ଏଭଳି କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ତେଜିବାରେ ଲାଗିଛି ।

ଏ ଘଟଣା ମୋ ନଜରକୁ ଆସିନାହିଁ । ତେବେ ଏହାକୁ ଉପ-ଜିଲ୍ଲାପାଳଙ୍କ ନଜରକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସମନ୍ନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଶ୍ରୀମତୀ ଶାନ୍ତିପ୍ରଭା ପ୍ରଧାନ । ଏ ବିଷୟରେ ରାୟଗଡା ବିଧାୟକ ଶ୍ରୀ ମକରନ୍ଦ ମୁଦୁଲିଙ୍କୁ ପଚାରିବାରେ ସେ କହିଛନ୍ତି ଯେ ନାରାୟଣପାଟଣା ଭଳି ଜମି ଆନ୍ଦୋଳନ ଏଠାରେ ପୁନରାବୃତ୍ତି ନହେବା ଦରକାର । ଏଭଳି ବେଆଇନ ଚୁକ୍ତିନାମା ଆଇନସଙ୍ଗତ ନୁହେଁ । ଏହା ଅତି ଚିନ୍ତାର ବିଷୟ । ଜିଲ୍ଲାପାଳଙ୍କୁ ଅବଗତ କରାଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ପରାମର୍ଶ ଦେବି ଓ ଆବଶ୍ୟକ ସ୍ଥଳେ ବିଧାନସଭାରେ ପ୍ରଶ୍ନ କରି ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି ଶ୍ରୀ ମୁଦୁଲି ।

ଡାକ୍ତର ରାଓ ପଡୋଶୀ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ବ୍ଲକ ରେ ମଧ୍ୟ ଠିକ ଏହିଭଳି ପ୍ରକ୍ରିୟା ଚଳାଇଥିବା ବେଳେ ସେଠାକାର ସ୍ଥାନୀୟ ତହସିଲଦାର ଏହାର ବିରୁଦ୍ଧରେ ଉକ୍ତ ସରକାରୀ ଜମିରେ ନାଲି ପତାକା ଲଗାଇଛନ୍ତି । ତେବେ ପ୍ରଶ୍ନ ଉଠୁଛି ସ୍ପଷ୍ଟ ଦିବାଲୋକରେ ଆଦିବାସୀଙ୍କ ଉପରେ ଏଠାରେ ଏଭଳି ଶୋଷଣ କିପରି ହେଉଛି ଓ ରାୟଗଡା ଜିଲ୍ଲା ପ୍ରଶାସନ ପାଖରେ ତାର ଖବର ଅଛି କି ନାହିଁ ତାହା ବିଡମ୍ବନାର ବିଷୟ ପାଲଟିଯାଇଛି ।