ଡାକ୍ତର ପାଲଟିଗଲେ ପିଶାଚ ; ସାଥୀ ସହ ମିଶି ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର

0
109
ଡାକ୍ତର ପାଲଟିଗଲେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୭/୦୬) : ଡାକ୍ତର ପାଲଟିଗଲେ ପିଶାଚ । ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ । ରୋଗ ଭଲ କରିଦେବା ଆଶାରେ ରୋଗୀ ଡାକ୍ତରଙ୍କୁ ଆଖି ବୁଜି ବିଶ୍ୱାସ କରିଥାନ୍ତି ।

ମାତ୍ର ଜଣେ ମହିଳା ରୋଗୀଙ୍କ ବିଶ୍ୱାସରେ ବିଷ ମିଶାଇଲେ ଡାକ୍ତର । ଡାକ୍ତର ପାଲଟିଗଲେ ପିଶାଚ । ନିଶା ଇଞ୍ଜେକସନ ଦେଇ ନିଜ ସାଥୀ ଡାକ୍ତରଙ୍କ ସହ ମହିଳା ରୋଗୀଙ୍କୁ କଲେ ଗଣବଳାତ୍କାର । ଏ ନେଇ ମହିଳାଜଣକ ଅଭିଯୋଗ କରିବା ପରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଡାକ୍ତରଙ୍କୁ ବାନ୍ଧିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି । ଏପରି ଏକ ଲଜ୍ଜାଜନକ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦରେ ଘଟିଛି । ଦିଲ୍ଲୀର ଜଣେ ମହିଳା ଦୀର୍ଘ ଦିନ ହେଲା ବେମାର ରହୁଥିଲେ । ବିଭିନ୍ନ ଆଡ଼େ ଚିକିତ୍ସା ପରେ ବି ସେ ସୁଫଳ ପାଇ ପାରୁ ନ ଥିଲେ । ଏହା ମଧ୍ୟରେ ସେ ଗାଜିଆବାଦରେ ଥିବା ଡାକ୍ତର ସାକିବଙ୍କ ସମ୍ପର୍କରେ ସୂଚନା ପାଇଲେ । ରୋଗ ଭଲ ହେବା ଆଶାରେ ସେ ତାଙ୍କୁ ଯୋଗାଯୋଗ କଲେ ।

ଏହାପରେ ଗତ ୭ ତାରିଖରେ ପ୍ରଥମ ଥର ସେ ତାଙ୍କ କ୍ଲିନିକ୍‌କୁ ଯାଇଥିଲେ । ଡାକ୍ତର ସାକିବ ମହିଳାଙ୍କୁ କିଛି ମେଡିସିନ ଦେଇଥିଲେ । ମାତ୍ର ଏଥିରେ ତାଙ୍କ ରୋଗ ଭଲ ନ ହେବାରୁ ଗତ ୧୯ ତାରିଖରେ ସେ ପୁଣି ଥରେ ଉକ୍ତ କ୍ଲିନିକ୍‌କୁ ଯାଇଥିଲେ । ସେତେବେଳେ ଚିକିତ୍ସା ନାଁରେ ଡାକ୍ତର ତାଙ୍କୁ ନିଶା ଇଞ୍ଜେକସନ୍‌ ଦେଇଥିଲେ । ଏହାପରେ ଡାକ୍ତର ସାକିବ ଓ ତାଙ୍କ ସାଥୀ ମହିଳାଙ୍କୁ ଗଣବଳାତ୍କାର କରିଥିଲେ। ଚେତା ଫେରିବା ପରେ ମହିଳାଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଲେ । ଏନେଇ ବାହାରେ ପ୍ରକାଶ କଲେ ଭିଡିଓ ଭାଇରାଲ କରିଦେବାର ଧମକ ଦେଲେ ଡାକ୍ତର ସାକିବ । ଏପରିକି ପୂର୍ବରୁ ବି ବହୁ ଯୁବତୀଙ୍କର ବଳାତ୍କାର କରି ସାରିଥିବା ସେ ମହିଳାଙ୍କ ସମ୍ମୁଖରେ କହିଥିଲେ । ପ୍ରଥମେ ଲୋକଲଜ୍ଜା ଭୟରେ ଭୟଭୀତ ହୋଇଯାଇଥିବା ମହିଳାଜଣକ ପରେ କିନ୍ତୁ ସାହସ ଜୁଟାଇ ଏନେଇ ଥାନାରେ ଅଭିଯୋଗ କଲେ। ଏହାପରେ ପୁଲିସ୍‌ ତଦନ୍ତ ଆରମ୍ଭ କରି ଡା. ସାକିବଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସାଥୀ ଫେରାର ଅଛନ୍ତି।