ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

0
49

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୮) : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ରାତି ପ୍ରାୟ ୧୧ ଟା ୫୦ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲେ ବିଜେପିର ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ସାଙ୍ଗରେ ଆସିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାରମ୍ପରିକ ନୃତ୍ୟ ଗୀତ ସାଙ୍ଗକୁ ବାଜା ବଜାଇ ଶାହାଙ୍କୁ ସ୍ବାଗତ ଭବ୍ୟ ସ୍ବାଗତ କରାଯାଇଥିଲା । ବିମାନବନ୍ଦର ପରିସରରେ ଗହଳି ଲଗାଇଥିଲେ ହଜାର ହଜାର କର୍ମୀ ଓ ସମର୍ଥକ । ଆଜି ଲୋକସେବା ଭବନ କନଭେନସନ ହଲରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ସୁକିନ୍ଦା-କମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ହେବ । ଏହି କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଏନ.ଏଚ.ଏ.ଆଇ.ର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ ।

ଏହାସହ ଲୋକସେବା ଭବନରେ ମାଓ ଉପଦ୍ରବକୁ ମୂଳପୋଛ ପାଇଁ ନିଆଯାଉଥିବା ପଦକ୍ଷେପ ଓ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ସମୀକ୍ଷା ବୈଠକରେ ମଧ୍ୟ ଅମିତ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ସବୁ ସରକାରୀ କାର୍ଯ୍ୟକ୍ରମ ପରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ ଶାହ । ରାଜ୍ୟ ପଦାଧିକାରୀ ଏବଂ କୋର କମିଟିର ବୈଠକ ନେବେ ଶାହ । କେନ୍ଦ୍ର ଗୃହମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସଭାସ୍ଥଳରେ ମଧ୍ୟ ଅଭେଦ୍ୟ ସୁରକ୍ଷା ବଳୟ କରାଯାଇଛି । ଶାହଙ୍କ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିରରେ ଦେଖିବାକୁ ମିଳିଛି ବେଶ ଉତ୍ସାହ ।