ଧ୍ୟାନ ଯୋଗଃ:କଥାଯଜ୍ଞ ଆଲୋଚନା

0
39
ଧ୍ୟାନ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୨୨/୯) : ସାହିତ୍ୟିକ କବି ବନ୍ଧୁ ପରିବାରର, ବାଲେଶ୍ଵର, ଓଡିଶା ତରଫରୁ ସପ୍ତମ ଅଧ୍ୟାୟ ଗୀତାମୃତ କଥାଯଜ୍ଞ ଆଲୋଚନାର ଆଭାସୀ କାର୍ଯ୍ୟକ୍ରମ ଗତକାଲି ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇ ଯାଇଛି ।

ଓଡ଼ିଶାର ସର୍ବ ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କର ସଞ୍ଚାଳନାରେ,ଢେଙ୍କାନାଳର ଯୁବସ୍ରଷ୍ଟା ତଥା ରାଜ୍ୟ ସଂଯୋଜକ ତପନ କୁମାର ବିଶ୍ବାଳଙ୍କର ପୌରହିତ୍ୟରେ, ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ କଥାଯଜ୍ଞ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସୁଶିକ୍ଷାବିତ୍ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରାଉଳ, ବାଲେଶ୍ଵର ଓମକାର ନାଦଧ୍ବନି ଦେଇ ସମସ୍ତଙ୍କୁ ସୁସ୍ଵାଗତ ଓ ଅଭିନନ୍ଦନ କରିଥିବା ବେଳେ ତେଲେଙ୍ଗାନାରୁ ବୈଜ୍ଞାନିକ ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର ମହୋଦୟ ଅତି ସୁନ୍ଦର ଭାବରେ ଅନୁଷ୍ଟପ୍ ଛନ୍ଦରେ ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗଃର ପାରାୟଣ କରିଥିଲେ ।

ପରିବାରର ବରିଷ୍ଠ ଉପଦେଷ୍ଟା ତଥା ସୁଶିକ୍ଷୟିତ୍ରୀ ଶ୍ରୀମତୀ ବିନୋଦିନୀ ଦାଶ ମହୋଦୟ ସାହିତ୍ୟିକ କବି ବନ୍ଧୁ ପରିବାରର ବିଭିନ୍ନ ସାହିତ୍ୟ ତଥା ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ବିଷୟରେ ବିଷଦ ବିବରଣୀ ନିଜ ବକ୍ତବ୍ୟରେ ପ୍ରଦାନ କରିଥିଲେ । ସାନ୍ଧ୍ୟ ସତସଙ୍ଗରେ ଓଡ଼ିଶାର ବିଶିଷ୍ଟ କଥାବାଚକ ତଥା ଗବେଷକ ପଣ୍ଡିତ ଶ୍ୟାମସୁନ୍ଦର ଦାଶ,ବଲାଙ୍ଗୀର ମହୋଦୟ ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗଃ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଭଗବାନଙ୍କର ଶ୍ଲୋକରୁ ଆରମ୍ଭ ଅଧ୍ୟାୟର ପ୍ରାରମ୍ଭିକ ଶ୍ଲୋକ : –
ମୟାସକ୍ତମନାଃ ପାର୍ଥ ଯୋଗଂ ଯୁଞ୍ଜନମଦାଶ୍ରୟଃ ।
ଅସଂଶୟଂ ସମଗ୍ରଂ ମାଂ ଯଥା ଜ୍ଞାସ୍ୟସିତଚ୍ଛୃଣୁ ।।

ପ୍ରଥମରୁ ଭଗବାନ କହିଛନ୍ତି ହେ ପୃଥାନନ୍ଦନ, ମୋ ଠାରେ ମନ ଲଗାଇ ଓ ମୋତେ ଆଶ୍ରୟ କରି ଯୋଗାଭ୍ୟାସ କଲେ ଯେପରି ଭାବରେ ମୋତେ ନିଃସନ୍ଦେହ ଜାଣି ପାରିବ ସେକଥା ମୁଁ କହୁଛି ମନଦେଇ ଶୁଣ । କୌଣସି ବିଷୟ ପ୍ରତି ଆସକ୍ତ ନହେବା-ବୈରାଗ୍ୟ । ଆସକ୍ତିର ମୂଳ ଅଜ୍ଞାନ । ଏଣୁ ଆସକ୍ତି ହିଁ ସମସ୍ତ ଦୁଃଖର କାରଣ । ସାଧନା ବଳରେ ଅନାସକ୍ତ ଭାବ ହୃଦୟରେ ଜାଗ୍ରତ ହେଲେ ଅର୍ଥାତ ଯୋଗଯୁକ୍ତ ହେଲେ ଭଗବାନଙ୍କ ସହିତ ଜଡ଼ିତ ହୋଇଗଲେ ମାୟାବଦ୍ଧ ସଂସାର ଆନନ୍ଦମୟ ଭଳି ପ୍ରତୀୟମାନ ହୁଏ । ଜ୍ଞାନ -ବିଜ୍ଞାନ -ବିଜ୍ଞାନୀ ଭଳି ତିନୋଟି ଶବ୍ଦର ଗୁଢ ତତ୍ତ୍ବକୁ ବୁଝାଇବାକୁ ଯାଇ ସର୍ବ ବିଦିତ ପଦ ବିଜ୍ଞାନୀ କୈବର୍ତ୍ତ ଧୋଇଲା ପଦର ଦୃଷ୍ଟାନ୍ତ ଉପସ୍ଥାପନ କରି ସରଳ ଭାବରେ ବୁଝାଇଥିଲେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ମହାଭାଗ ।

ଯିଏ ଭଗବାନଙ୍କର କଥା ଜାଣିଥାଏ ତାହା ଜ୍ଞାନ, ଯିଏ ସେହି ଜ୍ଞାନକୁ ଭଲ ଭାବରେ ବୁଝିଥାଏ, ଅନୁଭବ କରିଥାଏ ତାହାହିଁ ବିଜ୍ଞାନ ଅର୍ଥାତ ବିଶେଷ ଜ୍ଞାନ । ସକଳ କର୍ମ ମଧ୍ୟରେ ଭଗବାନଙ୍କ ସହିତ ଯୁକ୍ତ ହେବାର ଗୁଢ଼ କଥା ରହସ୍ୟ ଅତି ସୁନ୍ଦର ଭାବରେ, ଆର୍ତ୍ତ -ଅର୍ଥାର୍ଥୀ-ଜିଜ୍ଞାସୁ-ଜ୍ଞାନୀ ଭଳି ଚାରି ପ୍ରକାର ପୁଣ୍ୟକର୍ମାଙ୍କର ଉଦାହରଣ ଦେଇଛନ୍ତି । ଯେମିତି ଆର୍ତ୍ତରେ ଗଜ, ଉଦ୍ଧବ ଜିଜ୍ଞାସୁ, ସୁଦାମା ଆଉ ଶୁକଦେବଙ୍କର ଉଦାହରଣ ସହ ଦ୍ରୋପଦୀ, ଧ୍ରୁବ ଇତ୍ୟାଦିଙ୍କର କଥା ପ୍ରାଞ୍ଜଳ ଭାବରେ ପଣ୍ଡିତ ଶ୍ୟାମସୁନ୍ଦର ଦାଶ ବର୍ଣ୍ଣନା କରିଛନ୍ତି।ପଣ୍ଡିତ ଭାବଗ୍ରାହୀ ମିଶ୍ର ମହୋଦୟ ମଧ୍ୟ ଖୁବ୍ ସୁନ୍ଦର ଭାବରେ ଉପରୋକ୍ତ ଅଧ୍ୟାୟର ସମୀକ୍ଷାୟନ ବ୍ୟାଖ୍ୟା ରଖିଥିଲେ । ଓଡ଼ିଶାର କୋଣ ଅନୁକୋଣରେ ଥିବା ଗୀତା ପ୍ରେମୀ ,ତଥା ଓଡ଼ିଶା ବାହାରେ ଥିବା ଅନେକ ପଣ୍ଡିତ ବିଦ୍ୱାନଗଣ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ ଏହି କଥାଯଜ୍ଞ ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟ ଆଲୋଚକଙ୍କର କଥା ଶ୍ରବଣ କରି ପ୍ରୀତ ହୋଇଥିଲେ । ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୫୫ରୁ ଉର୍ଦ୍ଧ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ସାହିତ୍ୟିକ କବି ବନ୍ଧୁ ପରିବାରର ରାଜ୍ୟ ସଂଯୋଜିକା ଶ୍ରୀମତୀ ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସୁଶିକ୍ଷାବିତ୍ ଶ୍ରୀଯୁକ୍ତ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କ ବିରତି ଭାଷଣ ସହ ଅନୁମତି କ୍ରମେ ସଭାସାଙ୍ଗ ହୋଇଥିଲା ।