ଜମି ଦେଖିବାକୁ ଯାଉଥିଲେ, ମାରି ଦେଲା ହାତୀ

0
40
ଜମି ଦେଖିବାକୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୧୬/୧୦) : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ କଣ୍ଟାବଣିଆ ଥାନା ମଙ୍ଗଳପୁର ଗାଁ’ରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି ।

ତାଙ୍କ ନାଁ ରଣଜିତ ରାଉତ । ମଙ୍ଗଳପୁର ନିକଟରେ ଗତ କିଛି ଦିନ ହେଲା ଏକ ହାତୀପଲ ରହି ଫସଲ ନଷ୍ଟ କରୁଛନ୍ତି । ତେଣୁ ଆଜି ସକାଳେ ରଣଜିତ ରାଉତ ନିଜ ଚାଷ ଜମି ଦେଖିବାକୁ ଯାଉଥିଲେ । ସେହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଛନ୍ତି । ଅନ୍ୟପକ୍ଷରେ ଆଜି ସୁନ୍ଦରଗଡ଼ ଜିଲ୍ଲା କୋଇଡା ରେଞ୍ଜ ଓରାଘାଟ ଗାଁ’ର ପାରମସାହିରେ ଏକ ଦନ୍ତା ହାତୀର ମୃତଦେହ ଠାବ କରାଯାଇଛି । ହାତୀଟିର କେମିତି ମୃତ୍ୟୁ ହେଲା, ତାହା ଜଣାପଡ଼ିନି । ଶବ ବ୍ୟବଚ୍ଛେଦ ପରେ ତା’ର ମୃତ୍ୟୁର କାରଣ ସଂପର୍କରେ ଜଣାପଡ଼ିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

ଗତ ୫ ବର୍ଷରେ ରାଜ୍ୟରେ ହାତୀ ଆକ୍ରମଣରେ ୬୦୨ ଜଣଙ୍କ ମୃତ୍ୟୁ ଘଟିଛି । ନିକଟରେ ବିଧାନସଭାର ମୌସୁମୀ ଅଧିବେଶନ ଚାଲିଥିବା ବେଳେ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଥିଲେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମା ତ।ସେହିଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ, ୨୦୧୫-୧୬ରୁ ୨୦୨୩-୨୪ (୨୫.୦୯.୨୦୨୩) ମସିହା ସୁଦ୍ଧା ରାଜ୍ୟରେ ୬୯୮ଟି ହାତୀଙ୍କର ମୃତ୍ୟୁ ଘଟିଛି । ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ଶିକାର, ବିଷ ପ୍ରୟୋଗ ଇତ୍ୟାଦି କାରଣ ଯୋଗୁ ଏହି ହାତୀମାନଙ୍କର ମୃତ୍ୟୁ ଘଟିଛି ।