ରାଜଧାନୀରେ ଜଳିଗଲା ୫ ବସ୍

0
42
ରାଜଧାନୀରେ ଜଳିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୧୩/୧୧) : ତମାଣ୍ଡୋରେ ଘଟିଛି ଅଘଟଣ । ଦୀପାବଳି ଅବସରରେ ରାଜଧାନୀ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି ।

ତମାଣ୍ଡୋ ଥାନା ପାତ୍ରପଡ଼ା ଛକରେ ଥିବା ଗୋଟିଏ ଗ୍ୟାରେଜରେ ନିଆଁ ଲାଗି ୫ଟି ବସ୍‌ ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡ ଯୋଗୁ ଗ୍ୟାରେଜରେ ଥିବା ଅନେକ ଟଙ୍କାର ସମ୍ପତ୍ତି ମଧ୍ୟ ନଷ୍ଟ ହୋଇଯାଇଛି । ଭୁବନେଶ୍ୱର ତମାଣ୍ଡୋ ଛକ ପାଖ ପାତ୍ରପଡା HDFC ବ୍ୟାଙ୍କ ସାମ୍ନାରେ ଥିବା ଗ୍ୟାରେଜରେ ଏଭଳି ଅଘଟଣ ଘଟିଛି। ଗ୍ୟାରେଜରେ ଓଲଡିଂ ଚାଲିଥିବା ବେଳେ ହଠାତ୍‌ ଗୋଟିଏ ବସରେ ନିଆଁ ଲାଗି ଯାଉଥିଲା । ଏହାପରେ ଆଉ ୪ଟି ବସ୍‌କୁ ମଧ୍ୟ ନିଆଁ ମାଡ଼ି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀର ୪ଟି ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ।

ଏହାପରେ ଦିନ ୧ରୁ ୪ଟା ଯାଏ ଅଗ୍ନିଶମ କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ତ ବେଳେ ବସ୍‌ଗୁଡ଼ିକରେ ଡିଜେଲ ଭର୍ତ୍ତି ହୋଇ ରହିଥିଲା । କିନ୍ତୁ ଅଗ୍ନିଶମ କର୍ମଚାରୀମାନେ ଠିକଣା ସମୟରେ ଏହାକୁ ଆୟତ୍ତ କରି ନେବାକୁ ଗୋଟିଏ ବଡ଼ ବିପଦ ଟଳି ଯାଇଛି । କାରଣ ଗ୍ୟାରେଜକୁ ଲାଗି ଅନେକ ଘର ଓ ସଂସ୍ଥା ରହିଛି । ଯଦି ଡିଜେଲ ଯୋଗୁ ବିସ୍ଫୋରଣ ହୋଇଥାଆନ୍ତା, ତା’ହେଲେ ନିଆଁ ଅନ୍ୟ ସ୍ଥାନକୁ ମଧ୍ୟ ବ୍ୟାପିବାର ଆଶଙ୍କା ରହିଥିଲା । ତେବେ ଅଗ୍ନିଶମ କର୍ମଚରୀଙ୍କ ପରିଶ୍ରମ ଯୋଗୁ କୌଣସି ବଡ଼ ଅଘଟଣ ଘଟି ନାହିଁ ।