ଦଶାହ କାର୍ଯ୍ୟକୁ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା : ଭିଣୋଇ ମୃତ,ଶାଳକ ଗୁରୁତର

0
37
ଦଶାହ କାର୍ଯ୍ୟକୁ ଯାଉଥିବା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୩/୧୧) : ଦୀପାବଳି ପାଇଁ ଗାଁ’ଠୁ ସହର ଉତ୍ସବ ମୁଖର । ଏହି ଆଲୋକର ପର୍ବ ମଧ୍ୟରେ ବଲାଙ୍ଗିରରେ ଘଟିଛି ଅତ୍ୟନ୍ତ ଦୁଃଖଦ ଘଟଣା ।

ଗୋଟିଏ ଦଶାହ କାର୍ଯ୍ୟକୁ ଯାଉଥିବା ବେଳେ ଦୁର୍ଘଟଣାରେ ଚାଲି ଯାଇଛି ଭିଣୋଇଙ୍କ ଜୀବନ । ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି ତାଙ୍କ ଶାଳକ । ଉଭୟ ଗୋଟିଏ ବାଇକ୍‌ରେ ଯାଉଥିଲେ । ଏହି ସମୟରେ ବାଇକୁ ସାମ୍ନା ପଟୁ ଗୋଟିଏ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ଭିଣୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଶାଳକ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ସିଂଧେକେଲା ଥାନା ଅନ୍ତର୍ଗତ ବାଗବାହାଲ ଗାଁ ନିକଟରେ ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ଗୋଟିଏ ବାଇକରେ ବଙ୍ଗୋମୁଣ୍ଡା ଥାନା ଜୋରପଡ଼ା ଗାଁ’ର ପର୍ଶୁରାମ ପୁଟେଲ ଓ ମୁରିବାହାଲ ବ୍ଲକ ସାହାଜପାଣି ଗାଁ’ର ଲମ୍ବୋଦର ପୁଟେଲ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ ।

ଏମାନେ ସମ୍ପର୍କରେ ଭିଣୋଇ ଓ ଶାଳକ । ଲମ୍ବୋଦରଙ୍କ ଉଭଣୀଙ୍କୁ ପର୍ଶୁରାମ ବିବାହ କରିଛନ୍ତି । ଉଭୟ ବାଇକରେ ଯାଉଥିବା ବେଳେ ବାଗାହାଲ ଗାଁ ନିକଟରେ ଘଟିଥିଲେ ଅଘଟଣ । ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଲି ବୋଝେଇ ହାଇୱା ପର୍ଶୁରାମ ଓ ଲମ୍ବୋଦରଙ୍କ ବାଇକୁ ଧକ୍କା ଦେଇଥିଲେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ପର୍ଶୁରାମଙ୍କ ମୃତ୍ୟୁ ଘଟିଥିଲା । ଗୁରୁତର ଲମ୍ବୋଦରଙ୍କୁ ସିଂଧେକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଗାଡ଼ି ଛାଡ଼ି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ସିଂଧେକେଲା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦୁର୍ଘଟଣାଗ୍ରସ୍ତ ହାଇୱା ଓ ବାଇକୁ ଜବତ କରିଛି । ଏଥିସହ ଫେରାର ଡ୍ରାଇଭରଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

ଅନ୍ୟପକ୍ଷରେ କ୍ଷତିପୂରଣ ଦାବିରେ ପର୍ଶୁରାମଙ୍କ ଶବକୁ ରାସ୍ତାରେ ରଖି ତାଙ୍କ ପରିବାର ଓ ସମ୍ପର୍କୀୟ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ସେମାନେ ଫେରାର ହାଇୱା ଡ୍ରାଇଭରକୁ ଗିରଫ ପାଇଁ ମଧ୍ୟ ଦାବି କରିଛନ୍ତି । ପ୍ରଶାସନ ସେମାନଙ୍କୁ ବୁଝାସୁଝା କରିବା ପରେ ଦୀର୍ଘ ସମୟ ପରେ ରାସ୍ତା ଅବରୋଧ ହଟିଥିଲା ।