ପୁଲିସ୍‌ ବାଇକ୍‌ ଚୋରି କରି ବନ୍ଧା ହେଲେ ହୋମଗାର୍ଡ

0
34
ପୁଲିସ୍‌ ବାଇକ୍‌

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୬/୧୧) : ଖାକି ବର୍ଦ୍ଦିରେ ଲାଗିଲା କଳଙ୍କ । କାରଣ ପୁଲିସ୍‌ ସାଜିଲ ଚୋର । ଚୋରି ରୋକିବା ପାଇଁ ନିଯୁକ୍ତ ହୋଇଥିବା ହୋମଗାର୍ଡ ନିଜେ ପାଲଟିଗଲେ ଗାଡି ଚୋର ।

ପୁଲିସ୍‌ ବାଇକ୍‌ ଚୋରି କରି ବନ୍ଧା ହେଲେ ହୋମଗାର୍ଡ । ଚୋରି କରିବାକୁ ବାହାର ଜିନିଷ ନୁହେଁ, ଖୋଦ ପୁଲିସ ବିଭାଗର ବାଇକ୍‌ ଉପରେ ନଜର ପକାଇଲେ । ଆଉ ନିଜେ ଗାଡ଼ି ଚୋରି କରି ତାହାର ଅଭିଯୋଗ ଥାନାରେ କଲେ । ଶେଷରେ ଏହି ଅଭିଯୋଗରେ ପୁଲିସ୍‌ ସମ୍ପୃକ୍ତ ହୋମଗାର୍ଡ଼ଙ୍କୁ ବାନ୍ଧିଛି । ଏପରି ଏକ ହାସ୍ୟାସ୍ପଦ ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି । ଗିରଫ ହୋମଗାର୍ଡଜଣକ ହେଲେ ଚନ୍ଦନ ବାରିକ । ଭଦ୍ରକ ରିଜର୍ଭ ପୁଲିସରେ ହୋମଗାର୍ଡ ଚନ୍ଦନ ବାରିକ କାର୍ଯ୍ୟରତ ଥିଲେ । ରିଜର୍ଭ ପୁଲିସକୁ ମିଳିଥିବା ଗାଡି OD 05 Z 6825 କ୍ୟାମ୍ପସରୁ ଚୋରି ହୋଇଥିବା ନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ ହୋଇଥିଲା ।

ପରେ ତଦନ୍ତ ବେଳେ ଏହି ବାଇକ୍‌ ଚୋରି ପଛରେ ଚନ୍ଦନ ହାତ ଥିବା ପୁଲିସ୍‌ ଜାଣିବାକୁ ପାଇଥିଲା । ଏପରିକି ଏକ ଗ୍ୟାରେଜରେ ଉକ୍ତ ଗାଡ଼ିର ଇଞ୍ଜିନ ନମ୍ବର ଟ୍ୟାମ୍ପରିଙ୍ଗ ସହ ରଙ୍ଗ ବଦଳା ଯାଉଥିବା ଖବର ପାଇଥିଲା ପୁଲିସ । ପୁଲିସ୍‌ ତୁରନ୍ତ ଉକ୍ତ ଗ୍ୟାରେଜରେ ଚଢ଼ାଉ କରି ଗାଡ଼ିକୁ ଜବତ କରିଥିଲା । ଏଥିସହ ଏହାକୁ ଚୋରି ଅଭିଯୋଗରେ ଚନ୍ଦନ ଓ ତାଙ୍କୁ ସହଯୋଗ କରିଥିବା ଗ୍ୟାରେଜ ମିସ୍ତ୍ରୀ ସହାଦତ ଖାଁଙ୍କୁ ଗିରଫ କରିଛି । ଜାମିନ ନାମଞ୍ଜୁର ହେବାରୁ ଦୁଇ ଜଣଙ୍କୁ ଜେଲ ପଠାଇ ଦିଆଯାଇଛି । ଘଟଣାକୁ ନେଇ ପୁଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।