ଠକିଦେଲା ମୌସୁମୀ: ଶ୍ରାବଣ ଆସିଲା ବର୍ଷା ନାହିଁ; ଭଦ୍ରକରେ ୬୦% କମ୍ ବର୍ଷା

0
326

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୨୦/୦୭): ଚଳିତ ବର୍ଷ ଓଡିଶାରେ ସ୍ୱାଭାବିକ ରହିବ ମୌସୁମୀ ବର୍ଷା । ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଏବେ ଓଡିଶା ପାଇଁ ଭୁଲ ପ୍ରମାଣିତ ହେବା ଭଳି ଲାଗୁଛି । ଜୁନ ଯାଇ ଜୁଲାଇ ମାସର ଅଧାରୁ ଅଧିକ ହେଲାଣି ମାତ୍ର ବର୍ଷାର ଦେଖା ନାହିଁ । ରାଜ୍ୟର ୧୯ ଜିଲ୍ଲାରେ ବର୍ଷାର ଅଭାବ ଚାଷୀ ମୁଣ୍ଡରେ ଚଡକ ପକାଇ ଥିବାବେଳେ ଆଗକୁ ସ୍ଥିତି କଣ ହେବ ସେନେଇ ଚିନ୍ତା ବଢ଼ିଲାଣି । ଜୁନ ୧ରୁ ଏବେସୁଦ୍ଧା ଓଡ଼ିଶାରେ ୩୦୦.୯ ମିମି ବର୍ଷା ଅନୁଭୂତ ହୋଇଛି ।

ଠକିଦେଲା ମୌସୁମୀ: ଯାହା ସ୍ୱାଭାବିକ ବର୍ଷା ୪୧୬.୭ ମିମି ଠାରୁ ୨୮% କମ ରହିଛି । ମୋଟ ୧୯ ଜିଲ୍ଲା ରାୟଗଡା, ଗଞ୍ଜାମ, ଗଜପତି,କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର, କନ୍ଧମାଳ, ନୟାଗଡ଼, ଯାଜପୁର, ବାଲେଶ୍ୱର, ସମ୍ବଲପୁର, ଅନୁଗୁଳ, ଦେବଗଡ, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ମୟୁରଭଞ୍ଜ ଏବଂ କେନ୍ଦୁଝର ଠାରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ୱାଭାବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି । ଭଦ୍ରକ ଜିଲ୍ଲାରେ ୧୪୯ ମିମି ଅର୍ଥାତ୍ ଅତ୍ୟନ୍ତ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ୱାଭାବିକ ବର୍ଷା ଠାରୁ ୬୦% କମ ରହିଛି । କେବଳ କୋରାପୁଟରେ ସର୍ବାଧିକ ୪୨୨.୨ ମିମି ବର୍ଷା ହୋଇଛି, ଯାହା ସ୍ୱାଭାବିକ ବର୍ଷା ସହ ସମାନ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।

ଠକିଦେଲା ମୌସୁମୀ: ରାଜ୍ୟର ମୋଟ ୬ ଜିଲ୍ଳାରେ ୪୦%ରୁ ମଧ୍ୟ କମ୍ ବର୍ଷା ହୋଇଛି । ଉକ୍ତ ଜିଲ୍ଲାଗୁଡ଼ିକ ମଧ୍ୟରେ ଭଦ୍ରକରେ ସବୁଠୁ କମ୍ ୬୦%, ଦ୍ୱିତୀୟରେ ଯାଜପୁର ୫୩%, କେନ୍ଦୁଝର ଏବଂ ବଲାଙ୍ଗୀରରେ ୪୪%, ଗଜପତିରେ ୪୧% କମ ବର୍ଷା ହୋଇଥିବାବେଳେ ସମ୍ବଲପୁରରେ ମଧ୍ୟ ୪୦%ରୁ କମ୍ ବର୍ଷିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଏହି ମଧ୍ୟରେ ଉତ୍ତର ଆନ୍ଧ୍ର ଉପକୂଳରେ ସମୁଦ୍ରର ୧.୫ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ରହିଛି । ଯାହାଫଳରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବ ରହିଛି, ଆକଶରେ ମେଘର ବାଦଲ ରହୁଛି କିନ୍ତୁ ବର୍ଷା ହେଉନଥିବା ନଜରକୁ ଆସୁଛି । ଆସନ୍ତା ୨୪ ତାରିଖରୁ ଶ୍ରାବଣ ମାସ ଆରମ୍ଭ ହେଉଛି । ଅଶାଢ଼ ମାସ ସରିବାକୁ ବସିଥିବାବେଳେ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚାଷ କାର୍ଯ୍ୟ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସେପଟେ ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ସୂଚନା ମୂତାବକ, ଆସନ୍ତା ୫ ଦିନ ରାଜ୍ୟରେ ଲଗାଣ ବର୍ଷା ସମ୍ଭାବନା ରହିଛି । ଦୈନିକ ପ୍ରାୟ ୨୦ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ଥିବାବେଳେ ୫ରୁ ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ରାଜ୍ୟର ୯ ଜିଲ୍ଲା ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁରକୁ ପ୍ରବଳରୁ ଅତିପ୍ରବଳ ବଷା ସମ୍ଭାବନା ରହିଛି । ଉକ୍ତ ଜିଲ୍ଲାଗୁଡ଼ିକ ସମେତ ବାକି ୧୦ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଢ଼େଙ୍କାନାଳ ଓ ରାୟଗଡ଼ାକୁ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଏନଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏବେ ସାଧାରଣତଃ ଆକାଶ ମେଘାଚ୍ଛନ୍ନ ରହିବା ସହ ପାଗ କୋହଲା ରହିବ । ୨୩ ବେଳକୁ ସୃଷ୍ଟି ହେବାକୁ ଥିବା ଲଗୁଚାପ ରାଜ୍ୟରେ ବର୍ଷାର ପରିମାଣ ବଢ଼ାିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।

ସୂଚନାଥାଉ କି, ଗତ ୨୪ ଘଣ୍ଟାରେ ମଧ୍ୟ ରାଜ୍ୟରେ ମୌସୁମୀ ଜନିତ ବର୍ଷା ପରିମାଣ ନୈରାଶଜନକ ରହିଛି । ମାତ୍ର ୫.୩ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ବର୍ଷାରୁତୁରେ ବର୍ଷାର ଅଭାବ ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ସେପଟେ କେନାଲରେ ପାଣି ନ ଆସିବାରୁ ଚିନ୍ତା ଦ୍ୱିଗୁଣିତ ହୋଇଛି । ବିଶେଷ କରି ଭଦ୍ରକ ଜିଲ୍ଲାର ୯୫% ଜମିରେ ଧାନ ଚାଷ କରାଯାଏ । ମାତ୍ର ବର୍ତ୍ତମାନ ପରିସ୍ଥିତି ଏଭଳି ଯେ, ଚାଷ ଜମିରେ ଚାଷୀ ଧାନ ତଳି ପକାଇପାରୁ ନାହିଁ । ଆଉ ଯେଉଁ କିଛି ଜମିରେ ଧାନ ବୁଣା ଯାଇଛି ସେଠି ମଧ୍ୟ ଜମି ଫାଟି ଆଁ କଲାଣି । କିଛି ସ୍ଥାନରେ ରୁଆ ହୋଇଥିବା ଜମିରେ ଗୋରୁଗାଇ ଚରୁଥିବାବେଳେ ଅନ୍ୟ କିଛି ଜମିରେ ପମ୍ପ ଲଗାଯାଇ ପାଣି ମଡାଯାଉଛି । ଖାଲି ଭଦ୍ରକ ନୁହେଁ ଅଧିକାଂଶ ଜିଲ୍ଲାରେ ବର୍ତ୍ତମାନ ଏହି ପରିସ୍ଥିତି ଉପୁଜିଥିବା ନଜରକୁ ଆସିଛି ।