ପେଷାରେ ଶିକ୍ଷକ, କରୁଥିଲେ ଗଞ୍ଜେଇ ବେପାର

0
38
ପେଷାରେ ଶିକ୍ଷକ,

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୧/୧୨) : ପେଷାରେ ଶିକ୍ଷକ, ହେଲେ ନିଶା ଥିଲା ଗଞ୍ଜେଇ ବେପାର । ଗାଡ଼ିରେ ନକଲି ନମ୍ବର ଲଗାଇ କରୁଥିଲେ ଚାଲାଣ । ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାର ତୁଷୁରା ଥାନା ଅଞ୍ଚଳରୁ ।

୨୦୨୨ ମସିହା ଘଟଣାର ଆଜି ପୁଲିସ ପର୍ଦ୍ଦାଫାସ କରିଛି । ଏହି ଅଭିଯୋଗରେ ପୁଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି । ବୌଦ୍ଧ ଜିଲ୍ଲାର ଉଦ୍ଧବ ଦୀପକ ଏକ ସ୍କୁଲର ଶିକ୍ଷକ । ସେ ଓ ତାଙ୍କ ସାଥୀ ୨୦୨୨ ମସିହା ଜାନୁଆରୀ ୭ ତାରିଖରେ ଏକ ଟାଟା ଟିଆଗୋରେ ଗଞ୍ଜେଇ ଭର୍ତ୍ତିକରି ବଲାଙ୍ଗିର ଜିଲ୍ଲା ତୁଷୁରା ଥାନା ଅଞ୍ଚଳ ଦେଇ ଯାଉଥିଲା । ତେବେ କପସିଲା ରାସ୍ତାରେ ପୁଲିସ ପାଟ୍ରୋଲିଂ କରୁଥିବା ଦେଖି ଚମ୍ପଟ ମାରିଥିଲେ ଦୀପକ ଓ ତାଙ୍କ ସାଥୀ । ତୁଷୁରା ପୁଲିସ ଗାଡ଼ିରୁ ୫୧ କେଜି ଗଞ୍ଜେଇ ଜବତ କରିଥିଲା । ଏଥି ସହ ଉକ୍ତ ଗଞ୍ଜେଇ ଥିବା ଗାଡ଼ିକୁ ମଧ୍ୟ ହେପାଜତକୁ ନେଇଥିଲା । ଯାଞ୍ଚ ବେଳେ ଜଣାପଡ଼ିଥିଲା ଗାଡ଼ି ନମ୍ବଟି ନକଲି । ତାପରେ ପୁଲିସ ଗାଡ଼ିର ଚେଚିସ ନମ୍ବରକୁ ଯାଞ୍ଚ କରିଥିଲା । ସେଇ ସମୟରେ ପୂରା ଘଟଣା ଉପରୁ ପରଦା ହଟିଥିଲା।ଜବତ ହୋଇଥିବା ଗାଡ଼ିଟି ଦୀପକଙ୍କର ବୋଲି ସ୍ପଷ୍ଟ ହୋଥିଲା । ଏହା ପରେ ପୁଲିସ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ।

ହେଲେ ଦୀପକ ପୁଲିସକୁ ଚକମା ଦେଇ ଘୂରିବୁଲୁଥିଲେ। ଧରା ନପଡ଼ିବା ପାଇଁ ଦୀପକ କୁଆଡ଼େ ଦୁଇ ମାସ ଖଣ୍ଡେ ସ୍କୁଲ ଯାଇନଥିଲେ । ମାମଲାର ଶିଥିଳତା ଦେଖିବା ପରେ ଦୀପକ ନିୟମିତ ସ୍କୁଲ ଯାଉଥିଲେ । ସେ ଭାବି ଥିଲେ ପୁଲିସ ପ୍ରାୟ ସବୁ ଭୁଲିଯାଇଛି । ହେଲେ ପୁଲିସ ରେକର୍ଡ଼ରୁ ଦୀପକର ନାଁ ଯାଇନଥିଲା । ଆଜି ତୁଷୁରା ପୁଲିସ ବୌଦ୍ଧ ପୁଲିସ ସହାୟତାରେ ସ୍କୁଲରେ ପହଞ୍ଚିଥିଲା । ଆଉ ଅଭିଯୁକ୍ତ ଶିକ୍ଷକ ଦୀପକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ତାଙ୍କ ସାଥୀ ଏବେ ମଧ୍ୟ ଫେରାର ରହିଛନ୍ତି । ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।