ଖରାପ ହେଲା ପରୀକ୍ଷା, ଝୁଲି ପଡ଼ିଲେ ମେଡିକାଲ ଛାତ୍ର

0
57
ଖରାପ ହେଲା ପରୀକ୍ଷା,

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବିହାର, (୦୪/୧୨) : ପରୀକ୍ଷାରେ ଭଲ ପ୍ରଦର୍ଶନ କରି ନ ପାରିବାରୁ ଭାଙ୍ଗି ପଡ଼ିଲେ ମେଡିକାଲ ଛାତ୍ର । ଏପରିକି କିଛି ଦିନ ଚୁପଚାପ ରହିବା ପରେ ଶେଷରେ ନିଜ ହଷ୍ଟେଲ ରୁମ୍‌ରେ ଝୁଲି ପଡ଼ିଛନ୍ତି ।

ଏପରି ଏକ ଅଭାବନୀୟ ଘଟଣା ବିହାରର ଭାଗଲପୁରରେ ଘଟିଛି । ମୃତ ଛାତ୍ର ରାଜୀବ ରଞ୍ଜନ ଓ ତାଙ୍କ ଘର ବିହାରରେ ବୋଲି ଜଣାଯାଇଛି । ରାଜୀବ ରଞ୍ଜନ ଭାଗଲପୁରର ବରାରି ଥାନା କ୍ଷେତ୍ର ଅଧୀନ ଜବାହରଲାଲ ନେହରୁ ମେଡିକାଲ କଲେଜର ପ୍ରଥମ ବର୍ଷର ଛାତ୍ର ଥିଲେ । ସେ ଗତ ବର୍ଷ କଲେଜରେ ଆଡମିଶନ କରିଥିଲେ । ଗତ କିଛି ଦିନ ତଳେ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ରାଜୀବ ରଞ୍ଜନଙ୍କର କିଛି ପେପରରେ ଖରାପ ପ୍ରଦର୍ଶନ ରହିଥିଲା । ଫଳରେ ସେ କିଛି ଦିନ ହେବ ଡିପ୍ରେଶନରେ ରହୁଥିଲେ, କାହା ସହ କଥା ହେଉ ନ ଥିଲେ । ଏପରିକି କାହା ସହ ଭଲ ଭାବେ କଥା ମଧ୍ୟ ହେଉ ନ ଥିଲେ ବୋଲି ତାଙ୍କ ସହପାଠୀମାନେ କହିଛନ୍ତି ।

ଏହାପରେ ନିଜ ହଷ୍ଟେଲ ରୁମ୍‌ରେ ଏକୁଟିଆ ଥିବା ବେଳେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଏନେଇ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି । ଏହି ଖବର ପ୍ରଚାରିତ ହେବା ପରେ କଲେଜ ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ବହୁ ସଂଖ୍ୟାରେ ମେଡିକାଲ ଛାତ୍ର ବାହାରକୁ ଚାଲି ଆସି କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିଥିଲେ । କଲେଜରେ ଭଲ ଖାଇବା, ପାଠପଢ଼ା ହେଉ ନ ଥିବା ଅଭିଯୋଗ କରିଥିଲେ । ଏପରିକି ବିରୋଧ କଲେ କଲେଜରୁ ବାହାର କରି ଦିଆଯିବ ବୋଲି ବି କଲେଜ କର୍ତ୍ତୃପକ୍ଷ ଧମକ ଦେଉଥିବା କହିଥିଲେ । ଏହାକୁ କେନ୍ଦ୍ର କରି ସେମାନେ କଲେଜ ପ୍ରିନ୍ସିପାଲଙ୍କୁ ଘେରିବାକୁ ପଛାଇ ନ ଥିଲେ ।