ବୀମା ଟଙ୍କା ପାଇଁ ମାଆଙ୍କୁ ପୋଡ଼ି ମାରିଦେଲା ପୁଅ !

0
38
ବୀମା ଟଙ୍କା ପାଇଁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବାଲେଶ୍ୱର, (୧୮/୧୨) : ବୀମା ଟଙ୍କା ପାଇଁ ମାଆଙ୍କୁ ପୋଡ଼ି ମାରିଦେଲା ପୁଅ ! ଏପରି ହୃଦୟବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଞ୍ଚଳରେ ଘଟିଛି ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି । ଶନିବାର ରାତିରେ କମର୍ଦ୍ଦା ଥାନା ବେଲଡା ଗାଁ’ର ଖୁଦିରାମ ବେରା ଓ ତାଙ୍କ ପତ୍ନୀ ମଞ୍ଜୁରାଣୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଘଟଣାର ସମାଧାନ ହୋଇଯାଇଥିଲା । ତା’ପରେ ପୂରା ପରିବାର ଖାଇପିଇ ଶୋଇଥିଲା । ସମସ୍ତେ ଶୋଇଯିବା ପରେ ମଞ୍ଜୁରାଣୀ ଦେହରେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ଆଜି ସକାଳେ ଗାଁ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତେବେ ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ବୀମା ଟଙ୍କା ପାଇଁ ମଞ୍ଜୁରାଣୀଙ୍କୁ ତାଙ୍କ ପୁଅମାନେ ହତ୍ୟା କରିଛନ୍ତି ।

ତାଙ୍କୁ ଘର ବାହରେ ପୋଡ଼ିଦେଇ ଘର ଭିତରେ ମୃତଦେହ ପକାଇ ଆତ୍ମହତ୍ୟାର ରୂପ ଦେଉଛନ୍ତି । ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ୍‌ ହତ୍ୟା ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ଗାଁ’ରେ ଚର୍ଚ୍ଚା ହେଉଛି, ମଞ୍ଜୁରାଣୀ ବୀମା ଟଙ୍କା ବାବଦକୁ ୬ ଲକ୍ଷ ଟଙ୍କା ପାଇଥିଲେ । ହେଲେ ସେ କାହାକୁ ସେହି ଟଙ୍କା ନଦେଇ ପାଖରେ ରଖିଥିଲେ । ସେହି ଟଙ୍କା ହାତେଇବା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି ।