ଯୁବକଙ୍କ ନୂଆ ଫଣ୍ଡା; ଶାର୍ଟ ତଳୁ ବାହାରିଲା ୮ କେଜି ଗଞ୍ଜେଇ

0
63
ଯୁବକଙ୍କ ନୂଆ ଫଣ୍ଡା;

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୧୮/୧୨) : ପୂର୍ବରୁ କଦଳୀ ବୋଝେଇ ଗାଡ଼ି, ଟ୍ୟାଙ୍କରରେ, ଗାଡ଼ିର ସିକ୍ରେଟ ଚାମ୍ବର, ପାଣି ଟାଙ୍କି, ଲୁଣ ବସ୍ତା ଭିତରେ ଚାଲାଣ ହେଉଥିଲା ଗଞ୍ଜେଇ । ଶାର୍ଟ ତଳୁ ବାହାରିଲା ୮ କେଜି ଗଞ୍ଜେଇ

ହେଲେ ଏବେ ଆଉ କିଛି ପାଦ ଆଗେଇ ଯାଇଛନ୍ତି ଗଞ୍ଜେଇ ଚୋରା ଚାଲାଣକାରୀ । ପୁଲିସ୍‌ ଆଖିରୁ ବର୍ତ୍ତିବା ପାଇଁ ବାହାର କରିଛନ୍ତି ନୂଆ ଫଣ୍ଡା । ଏପରି ଏକ ଚକିତ କରିବା ପରି ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଅଞ୍ଚଳରେ ଘଟିଛି । ଗଞ୍ଜେଇ ଚାଲାଣକାରୀଙ୍କ ନୂଆ, ନୂଆ ଫଣ୍ଡା ପୁଲିସ୍‌ର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥର ଆଉ କୌଣସି ଗାଡ଼ି ସିକ୍ରେଟ ଚାମ୍ବର କି ବସ୍ତାର ଆବଶ୍ୟକତା ନାହିଁ । ଏଥର ଚାଲାଣକାରୀ ଜଣକ ନିଜ ଦେହରେ ହିଁ ଗଞ୍ଜେଇ ଗୁଡ଼ାଇ ସୀମା ପାର୍‌ ହେବାକୁ ଯୋଜନା ପ୍ରସ୍ତୁତ କରିଥିଲା । ତାହା ପୁଣି ଏକାଥରେ ୮ କେଜି ଗଞ୍ଜେଇ । ଏଥିସହ ପାଖରେ ଥିବା ଏକ ବ୍ୟାଗ୍‌ରେ ବି ସେ ୨୦ କେଜି ଗଞ୍ଜେଇ ନେଉଥିଲେ ।

ଏପରି ଜଣେ ଯୁବକଙ୍କୁ ପୁଲିସ୍‌ ମାଡ଼ି ବସିବା ସହ ତାଙ୍କ ନିକଟରୁ ସମୁଦାୟ ୨୮ କେଜି ଗଞ୍ଜେଇ ଜବତ କରିଛି । ଏହାଦେଖି ସମସ୍ତେ ତାଜୁବ । ଗିରଫ ଯୁବକଜଣକ ହେଲେ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲା ପୁଲନ ଖାଁ । ନିଜ ଦେହରେ ୮ କିଲୋ ଗଞ୍ଜେଇ ପ୍ଲାଷ୍ଟିକ ରାପ୍ (ସେଲୋ ଟେପ୍) ଗୁଡେ଼ଇ ଧାରଣ କରିଥିବା ଓ ବ୍ୟାଗରେ ୨୦କିଲୋ ଗଞ୍ଜେଇ ଧରି ଚାଲାଣ କରୁଥିଲେ ।

ଖବର ପାଇ ପାଡୁଆ ଥାନା ପୁଲିସ ଦଳେଇପୁଟ ଗ୍ରାମ ନିକଟରେ ଚଢଉ କରି ପୁଲନ ଖାଁଙ୍କୁ ଅଟକ ରଖି ତାଙ୍କୁ ଯାଞ୍ଚ କରିଥିଲା । ଏହାପରେ ଯାଞ୍ଚ କରି ଗଞ୍ଜେଇ ଜବତ କରିଥିଲା । ପ୍ରାଥମିକ ତଦନ୍ତରୁ ଜବତ ଗଞ୍ଜେଇ ୱେଷ୍ଟବେଙ୍ଗଲ ଅଞ୍ଚଳର ବଙ୍ଗଳାଦେଶ ସୀମାକୁ ନନ୍ଦପୁର ବ୍ଲକ ଅଞ୍ଚଳରୁ ଚାଲାଣ ହେଉଥିବା ଜଣାପଡ଼ିଥିବା ନନ୍ଦପୁର ଉପଖଣ୍ଡ ପୁଲିସ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ।