କାୟା ମେଲାଉଛି କରୋନା ! ୨୪ ଘଣ୍ଟାରେ ୭୪୩ ଆକ୍ରାନ୍ତ, ୭ ମୃତ

0
54
କାୟା ମେଲାଉଛି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୩୧/୧୨) : ଦେଶରେ କାୟା ମେଲାଉଛି କରୋନା । ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି, ଘାତକ ବି ହେଉଛି ।

ଗତ ୨୪ ଘଣ୍ଟାରେ ଦେଶରେ ୭୪୩ ନୂଆ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣଙ୍କ ଜୀବନ ଯାଇଛି । ଆଗକୁ ନୂଆବର୍ଷ ଓ ଜିରୋ ନାଇଟ୍ ସେଲିବ୍ରେସନ ଥିବାରୁ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି । ଏସବୁକୁ ନଜରରେ ରଖି ଆଗୁଆ ସତର୍କ ହୋଇଛି ଓଡ଼ିଶା । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ସରକାରୀ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିଠି କରି କୋଭିଡ୍ ପାଇଁ ସର୍ଭେଲାନ୍ସ ଓ ଟେଷ୍ଟିଂ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ପଜିଟିଭ ଚିହ୍ନଟ ରୋଗୀଙ୍କ ପାଇଁ ହୋମ୍ ଆଇସୋଲେସନ ପ୍ରୋଟକଲ କଡ଼ାକଡ଼ି କରିବା ସହ ଚିକିତ୍ସା ସୁବିଧା ଯୋଗାଇବାକୁ କୁହାଯାଇଛି । ଏମିତିକି ହସ୍ପିଟାଲରେ ସ୍ୱତନ୍ତ୍ର ବେଡ୍ ଓ ଅକ୍ସିଜେନ୍ ବ୍ୟବସ୍ଥା ଥିବା ବେଡ୍ ମହଜୁଦ ରଖିବା ରଖିବା ସହ ଚିହ୍ନଟ ରୋଗୀଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ରେଫର୍ ନ କରିବାକୁ ସ୍ପଷ୍ଟ ଭାବେ କୁହାଯାଇଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଆଗାମୀ ଦିନରେ ଆମ ରାଜ୍ୟରେ କୋଭିଡ୍ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଲୋକମାନେ ଘରେ ନୂଆବର୍ଷ ପାଳନ କରନ୍ତୁ । ଥଣ୍ଡା, କାଶ ଥିବା ବ୍ୟକ୍ତି ବାହାରକୁ ନ ଯିବା ସହ ଜରୁରୀ ସ୍ଥିତିରେ ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମାତ୍ର ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସକ୍ରିୟ ରୋଗୀ ସଂଖ୍ୟା ୧୩ରେ ସୀମିତ ରହିଛି । ତେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ ସର୍ଭେଲାନ୍ସ ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛନ୍ତି ହସପିଟାଲ୍ କର୍ତ୍ତୃପକ୍ଷ । ଏବେ ଅପେକ୍ଷା, ସ୍ୱାସ୍ଥ୍ୟ ବିଭାଗର ସତର୍କତାମୂଳକ ପଦକ୍ଷେପ ରାଜ୍ୟରେ ସମ୍ଭାବ୍ୟ କୋଭିଡ୍ ସଂକ୍ରମଣ ବୃଦ୍ଧିକୁ କେତେ ରୋକ୍ ଲଗାଇପାରୁଛି ।