ଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ ଆରମ୍ଭ

0
53
ଜଗନ୍ନାଥ ମନ୍ଦିର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୨/୦୧) : ନବ-ନିର୍ମିତ ସ୍ଥାନୀୟ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ପାଇଁ ସୋମବାର ପୂର୍ବାହ୍ନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l

ବିଭିନ୍ନ ଅଂଚଳରୁ ଭକ୍ତମାନେ ଆସି କାଶୀନଗରରେ ପହଞ୍ଚୁଛନ୍ତି ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ମୁଖ୍ୟ ମହନ୍ତ ପଦ୍ମ ଚରଣ ଦାସ ଏ ଅବସରରେ କହିଛନ୍ତି ଯେ, ପ୍ରାୟ ୩୦୦ ବର୍ଷ ତଳେ କାଶୀନଗରରେ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରାଣ ପ୍ରତିଷ୍ଠା ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା l ସେ ସମ୍ପର୍କୀୟ ରେକର୍ଡ ବି ଗଚ୍ଛିତ ଥିଲା ମଠର କାର୍ଯ୍ୟାଳୟରେ l କିନ୍ତୁ ୧୯୮୦ର ପ୍ରଳୟଙ୍କରୀ ବଂଶଧାରା ବନ୍ୟାରେ ସବୁ ନଷ୍ଟ ହୋଇଗଲା . ଯେଉଁଠି ରତ୍ନ ସିଂହାସନରେ ବସି ତ୍ରିମୂର୍ତ୍ତି ପୂଜା ପାଉଥିଲେ, ସେସ୍ଥାନ ବି ସୁରକ୍ଷିତ ରହି ପାରିଲା ନାହିଁ . ତେବେ ବନ୍ୟା ଦାଉରୁ ଜଗନ୍ନାଥ ସମ୍ଭବତଃ ନିଜକୁ ନିଜେ ରକ୍ଷା କରିଥିଲେ l ତେଣୁ ପୂଜିତ ମୂର୍ତ୍ତି ତ୍ରୟର ଉଦ୍ଧାର ସମ୍ଭବ ହୋଇ ପାରିଥିଲା l ଭବ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣର ସ୍ୱପ୍ନ କିନ୍ତୁ ସ୍ୱପ୍ନରେ ହିଁ ରହି ଯାଇଥିଲା ବହୁ ବର୍ଷ ଧରି l

ମଠର ପୂର୍ବତନ ମହନ୍ତ ଗୋବର୍ଦ୍ଧନ ଦାସ ନୂଆ ଏକ ମନ୍ଦିର ନିର୍ମାଣ ପାଇଁ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲେ . ବର୍ତ୍ତମାନ ସେ କାର୍ଯ୍ୟ ସମ୍ପନ୍ନ ହୋଇଛି . ଲୋକ ପ୍ରତିନିଧି , ସ୍ଥାନୀୟ ଜଗନ୍ନାଥ ଭକ୍ତଙ୍କ ଦାନ ଓ ମଠ ସମ୍ପତ୍ତିର ଏକ ବଡ ଅଂଶ ବିନିଯୋଗରେ ପୁରୀ ମନ୍ଦିର ଶୈଳୀକୁ ଅନୁସରଣ କରି ଭବ୍ୟ ମନ୍ଦିର ନିର୍ମାଣ କରା ଯାଇ ପାରିଛି . ୨୨ ତାରିଖ ସୋମବାର ଦିନ ଯୋଗ ବାହାରି ଥିବାରୁ ଉକ୍ତ ଦିବସରେ ଆରମ୍ଭ ହୋଇଛି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ l

ଏ ଅବସରରେ ଗଣମାଧ୍ୟମକୁ ମିଳିଥିବା ନିମନ୍ତ୍ରଣ ପତ୍ରରୁ ଜଣା ପଡିଛି ଯେ, ଉଲ୍ଲେଖିତ କାର୍ଯ୍ୟକ୍ରମ ଆସନ୍ତା ୨୬ ତାରିଖ ଯାଏଁ ଚାଲିବ l ପ୍ରଥମ ଦିବସରେ ଶୁଦ୍ଧି, ପ୍ରାୟଶ୍ଚିତ, ଦୀକ୍ଷା ଗ୍ରହଣ, ବନଯାଗ, କଳସଯାତ୍ରା , ମଣ୍ଡଳକରଣ ଓ ଘଟ ସ୍ଥାପନ ଆଦି କାର୍ଯ୍ୟକ୍ରମ ହେବ l ଶେଷ ଦିବସରେ ସୂର୍ଯ୍ୟପୂଜା, ସହସ୍ରାହୁତି, ଓ ଯଜ୍ଞରେ ପୂର୍ଣାହୁତି ପରେ ପୂର୍ବରୁ ପୂଜିତ ହୋଇ ଆସୁଥିବା ମୂର୍ତ୍ତି ତ୍ରୟ ନବ – ନିର୍ମିତ ରତ୍ନ ସିଂହାସନରେ ସ୍ଥାପିତ ହେବେ ଓ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିବ l ମନ୍ଦିର ପ୍ରତିଷ୍ଠାକୁ ନେଇ କାଶୀନଗରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି l