ରାୟଗଡା ବ୍ଳକ ସ୍ତରୀୟ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

0
70
ରାୟଗଡା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡା, (୦୩/୨) : ରାୟଗଡା ବ୍ଳକ ପରିସରରେ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି ।

ଉପଜିଲ୍ଲାପାଳ କଲ୍ଯାଣୀ ସଂଘମିତ୍ରା ଦେବୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁଦୃଢୀକରଣ ଆଗାମୀ ପୀଢିଙ୍କ ନିମନ୍ତେ ଏକ ଆହ୍ଵାନ ବୋଲି କହିଥିଲେ। ଭାଷାର ସୁରକ୍ଷା ନିମନ୍ତେ ସମସ୍ତ ଓଡିଆ ନିଜ ମାତୃଭାଷାକୁ ସମ୍ମାନ ଦେବା ସହ ଭାଷାର ବହୁଳମାତ୍ରାରେ ବ୍ୟବହାର, ପଠନ ଓ ଅଭ୍ୟାସ ନିମନ୍ତେ ପ୍ରେରିତ କରିଥିଲେ । ଉଚ୍ଚ କୋଟୀର ବାଗ୍ନୀ ଙ୍କ ଅଭିଭାଷଣ ସମସ୍ତ ବର୍ଗର ବ୍ୟକ୍ତିଙ୍କୁ ପ୍ରଭାବିତ କରିଥିଲା । ଅନ୍ୟତମ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଶାନ୍ତ କୁଲେସିକା ପଦ୍ମାବତୀ ମାଣ୍ଡାଙ୍ଗୀ ଓ ସନ୍ଧ୍ୟା ପୁଲାକା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଲୁ ଚରଣ ନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା, ଆକାଉଣ୍ଟସ ଅଧିକାରୀ ଅନିତା ପଟନାୟକ, ବିଭାଗୀୟ ଅଧିକାରୀ ଦେବବ୍ରତ ଧୀବର, ପ୍ରମୁଖ ମଞ୍ଚାସୀନ ଥିଲେ ।

ଅମଲାଭଟା ଆଦର୍ଶ ମହାବିଦ୍ୟାଳୟର ସହ -ପ୍ରଧ୍ୟାପକ ଡ: କୈଳାସ ଚନ୍ଦ୍ର ମଲ୍ଲିକ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡ: ମୀନକେତନ ନାୟକ, ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଅଧ୍ୟାପକ ଟିକେଶ୍ଵର ମାଝୀ ଓ କଳା ଶିକ୍ଷକ ଦ୍ଵୀତି ଚନ୍ଦ୍ର ସାହୁଙ୍କୁ ଓଡିଆ ଭାଷା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ମାଧ୍ୟମରେ ସମ୍ମାନିତ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବା ଘ. ୧୧ ଟିକା ସମୟରେ ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା ।

ମୁଖ୍ୟ ଅତିଥି ଶ୍ରୀମତୀ ସଂଘମିତ୍ରା ଦେବୀ ଓଡ଼ିଆ ସାହିତ୍ୟ ଜଗତର ମହାମନୀଷୀଙ୍କ ଫଟୋ ଗ୍ୟାଲେରି ଓ ପୁସ୍ତକ ପ୍ରଦର୍ଶନୀ ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ଦୁଇ ଶହରୁ ଅଧିକ ଉପାଦେୟ ପୁସ୍ତକ ପ୍ରଦର୍ଶିତ ହୋଇଥିଲା । ଦିବା ଠିକ୍ ଘ ୧୧.୩0 ମିନିଟ ସମୟରେ ଜନତା ମୈଦାନ ରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ଉଦଘାଟନୀ ଉତ୍ସବ ର ସିଧାପ୍ରସାରଣ କରାଯାଇଥିଲା । ଶେଷରେ କାର୍ଲାକଣା କଳା ଓ ସଂସ୍କୃତି ସଂଘ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

ଏଥିରେ ପଞ୍ଚାୟତ ସମିତିର କର୍ମକର୍ତ୍ତା , ନିର୍ବାଚିତ ପ୍ରତିନିଧି, ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ଏହାର ସଂଯୋଜନା କରିଥିଲେ । ବିଶ୍ଵ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ ବିଭିନ୍ନ ସ୍ଥାନରେ ଓଡ଼ିଆ ଭାଷାକୁ ରୁଦ୍ଧିମନ୍ତ କରିଥିବା ମହାମନୀଷୀଙ୍କ ଫଟୋଚିତ୍ର ବ୍ୟାନର ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥିଲା । ସହରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଗୁଡିକ ସଫା ସୁତରା କରିବା ସହ ପୁଷ୍ପମାଲ୍ଯ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା । ପୁସ୍ତକ ପ୍ରଦର୍ଶନୀ ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଭୂୟସୀ ପ୍ରସଂଶା କରିଥିବା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ନାୟକ କହିଛନ୍ତି । ସେହିପରି ରାୟଗଡା ବ୍ଳକର ଅଠେଇଶି ଗୋଟି ଗ୍ରାମ ପଞ୍ଚାୟତ ସ୍ତରରେ ମଧ୍ଯ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।