ପଦ୍ମଶ୍ରୀ ସାଧୁ ମେହେରଙ୍କୁ ଶ୍ରଦ୍ଧାଞ୍ଜଳି

0
32
ପଦ୍ମଶ୍ରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୬/୦୨) : ଭାରତୀୟ ସିନେମାର କିମ୍ବଦନ୍ତୀ ଅଭିନେତା ତଥା ନିର୍ଦ୍ଦେଶକ ପଦ୍ମଶ୍ରୀ ଡ଼ଃ ସାଧୁ ମେହେରଙ୍କ ପରଲୋକରେ ସୁବର୍ଣ୍ଣପୁର ମହାରାଜା ହାଇସ୍କୁଲର ଶତ ବାର୍ଷିକୀ ସମ୍ମିଳନୀ କକ୍ଷରେ ଏକ ସାମୁହିକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।

ସୁବର୍ଣ୍ଣପୁରର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମଶ୍ରୀ ସାଧୁ ମେହେରଙ୍କ ଜୀବନାଦର୍ଶ, ଅଭିନୟ କଳା ସହ ମା’ମାଟି, ଭାଷା ଓ ନିଜସ୍ୱ ସଂସ୍କୃତି ପ୍ରତି ଥିବା ଅହେତୁକ ସମର୍ପଣ ଭାବକୁ ସ୍ମରଣ କରି ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଶ୍ରଦ୍ଧା ସୁମନ ଦେଇଛନ୍ତି । ଦିବଙ୍ଗତ ସାଧୁ ମେହେର ଓ ସୁବର୍ଣ୍ଣପୁରକୁ ନେଇ ସ୍ମୃତି ବିଜଡିତ ଅନେକ କଥା-କବିତାକୁ ଅନେକେ ମନେ ପକାଇ ସାଧୁ ମେହେରଙ୍କ ପରଲୋକ ଏ ମାଟି ପାଇଁ ଏକ ଅପୁରଣୀୟ କ୍ଷତି ବୋଲି କହିଛନ୍ତି ।

ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଯୋଗଦେଇ ସ୍ବର୍ଗତ ସାଧୁ ମେହେରଙ୍କୁ ଭାରତୀୟ ସିନେ ଜଗତର ଜଣେ ଧୁରିଣ ଅଭିନେତା ଓ ନିର୍ଦ୍ଦେଶକ ଭାବେ ଅଭିହିତ କରି ତାଙ୍କ ଅଭିନୀତ ଓ ନିର୍ଦ୍ଦେଶିତ ସିନେମା ଆଜିର ପୀଢ଼ି ଦେଖିବା ଉଚିତ ବୋଲି କହିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗୋରେଖନାଥ ସାହୁ, ବରିଷ୍ଠ କବି ଆର୍ତ୍ତତ୍ରାଣ ବାବୁ, ଡ଼ଃ ସୌରଭ ରଞ୍ଜନ ଖମାରୀ,ଡ଼ଃ ପୁରୁଷୋତ୍ତମ ମିଶ୍ର, ଅଭିମନ୍ୟୁ କୁଶଳ,ଡ଼ଃ ଜ୍ୟୋତିରଞ୍ଜନ ବହିଦାର, ମିନା ମହାରଣା,ଲଡୁକିଶୋର ମଲ୍ଲିକ, ପ୍ରଦ୍ୟୁମ୍ନ ସାହୁ, ମନୋଜ ବାରିକ, ବାସୁଦେବ ତ୍ରପାଠି ତ୍ରିପାଠୀ ଓ ବେଣୁଧର ପ୍ରଧାନ ପ୍ରମୁଖ ସ୍ମୃତିଚାରଣ କରି ଶଦ୍ଧାଞ୍ଜଳି ଦେଇଥିଲେ ।

ମହାନଦୀ ସାହିତ୍ୟ ସଂସଦ ସହ ପଏଂରୀ,ଭୀମଭୋଇ କଳା ପରିଷଦ,ଶ୍ରୀଗୋପାଳଜୀ ତମସ୍ଵୀ ଯୋଗାଳୟ,ଟ୍ରେଣ୍ଡି ଏକାଡେମୀ, ନାଟ, ସଂସ୍କାର ଭାରତୀ ଓ ଜୁହାର ପରିବାର ଦିଲ୍ଲୀ ଅନୁଷ୍ଠାନ ସହ ଆୟୋଜକ ଭାବେ ଉପସ୍ଥିତ ଥିଲେ । ମନୋଜ ବାରିକ ସ୍ୱାଗତ ଭାଷଣ ଦେଇଥିବା ବେଳେ ବେଣୁଧର ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ ।