ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ

0
41
ଓଡ଼ିଶା କ୍ରୀଡ଼ା

ରିପୋର୍ଟ : ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୫/୦୩) : ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ଫୋଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ ସହ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବିଭାଗ ପକ୍ଷରୁ ଷ୍ଟାଡିୟମ ପରିସରରେ ଏକ ଗଣଦୌଡ଼ର ଆୟୋଜନ ହୋଇଥିଲା । ମାନ୍ୟବର ମନ୍ତ୍ରୀ ଶ୍ରୀ ବେହେରା ଏହାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ କ୍ରୀଡ଼ା ହଷ୍ଟେଲ, ଆଥଲେଟିକ୍ସ, ଫୁଟବଲ, ହକି, ସୁଇମିଂ, ଜିମନାଷ୍ଟିକ୍ସ ଓ ସ୍କେଟିଂ ଆଦି ବିଭିନ୍ନ କ୍ରୀଡ଼ା ବର୍ଗର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏଥିସହିତ ବିଜୁ ଜୟନ୍ତୀ ଉପଲକ୍ଷେ ଅନୁଷ୍ଠିତ ଚିତ୍ରକଳା, ଏକକ ସଂଗୀତ ଏବଂ ରଙ୍ଗୋଲି ଆଦି ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ପୁରସ୍କୃତ କରିଥିଲେ । ସେହିପରି ମାନ୍ୟବର ମନ୍ତ୍ରୀ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଆଜି ନିୟମିତ ଯୋଗ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ନିଜେ ଯୋଗ କରିବା ସହ ସମସ୍ତେ ଯୋଗକୁ ନିଜ ଜୀବନରେ ସାମିଲ କରି ସୁସ୍ଥ ରହିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।

ଫିଟନେସ ପାଇଁ ଯୋଗ ଓ ପ୍ରାଣାୟାମର ଯଥେଷ୍ଟ ଭୂମିକା ଥିବାରୁ ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସବୁ ବର୍ଗଙ୍କ ପାଇଁ କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ନିୟମିତ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଅବସରରେ ଷ୍ଟାଡ଼ିୟମ ପରିସରରେ ଏକ ଏଟିଏମ କାଉଣ୍ଟରର ମଧ୍ୟ ଶୁଭାରମ୍ଭ ହୋଇଥିଲା । ଆଜିର କାର୍ଯ୍ୟକ୍ରମରେ ହକି ପ୍ରମୋସନ କାଉନସିଲ ସିଇଓ ତଥା ନିର୍ଦେଶକ ଶ୍ରୀ ଦିପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଦିଲ୍ଲୀପ କୁମାର ଜେନା, ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ, ଶୈଳେନ୍ଦ୍ର କୁମାର ଜେନା ଓ ରଞ୍ଜିତ ପରିଡାଙ୍କ ସମେତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରୋଗ୍ରାମ ଅଧିକାରୀ ଶ୍ରୀମତୀ ନିବେଦିତା ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।