କଟକ ରେ ମହିଳାଙ୍କୁ ଛୁରା ଭୁଷି ହତ୍ୟା

0
58
କଟକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୫/୦୩) : ମହିଳାଙ୍କୁ ଛୁରା ଭୁଷି ହତ୍ୟା । ଆଜି ସନ୍ଧ୍ୟା ବେଳେ ଏପରି ବୀଭତ୍ସ ହତ୍ୟାକାଣ୍ଡ କଟକ ଟାଉନ୍‌ର ସିଆରଆରଆଇ ଥାନା ଅଞ୍ଚଳରେ ଘଟିଛି ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି । ତେବେ ହତ୍ୟା ଅଭିଯୁକ୍ତ ଫେରାର ହୋଇଯାଇଛି । ଆଜି ସନ୍ଧ୍ୟା ବେଳେ ନେହରୁପଲ୍ଲୀରେ ଭାରତୀ ସାହୁଙ୍କ ସହିତ ଜଣେ ଯୁବକଙ୍କ ଯୁକ୍ତିତର୍କ ହେଉଥିଲା । ଧୀରେ ଧୀରେ ଯୁକ୍ତିତର୍କ ବଢ଼ିଥିଲା । ପରବର୍ତ୍ତୀ ସମୟରେ ଭାରତୀଙ୍କୁ ସମ୍ପୃକ୍ତ ଯୁବକ ଛୁରା ମାଡ଼ କରିଥିଲା । ଭାରତୀଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ସେଠାକୁ ଧାଇଁ ଆସିଥିଲେ । ଆକ୍ରମଣ କରିଥିବା ଯୁବକ ଚମ୍ପଟ ମାରିଥିବା ବେଳେ ସ୍ଥାନୀୟ ଲୋକେ ଭାରତୀଙ୍କୁ ରକ୍ତ ଜୁଡ଼ୁବୁଡୁ ଅବସ୍ଥାରେ ଉଦ୍ଧାର କରି ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ ହେଉଛି ।

ମିଳିଥିବା ସୂଚନା ଅନୁସାରେ ଆକ୍ରମଣ କରିଥିବା ଯୁବକଙ୍କ ବିରୋଧରେ ସିଆରଆରଆଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଭାରତୀ । ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଥିଲା। ଯୁବକ ଜଣକ ମାସେ ଜେଲ୍‌ ଯାଇଥିଲା । ଏବେ ଜେଲ୍‌ରୁ ବାହାରି ଥିଲା । ତେବେ କେଉଁ କାରଣରୁ ଭାରତୀ ତା’ ନାଁରେ ଲିଖିତ ଅଭିଯୋଗ କରିଥିଲେ, ତାହା ଜଣାପଡ଼ିନି। ସେପଟେ ପୁଲିସ୍‌ କହିଛି, ଛୁରା ମାଡ଼ କରିଥିବା ଅଭିଯୁକ୍ତ ନାଁରେ ଏକାଧିକ ମାମଲା ରହିଛି । ହତ୍ୟାକାଣ୍ଡ ଘଟିଥିବା ସ୍ଥଳରେ ଏସିପି ଓ ସିଆରଆରଆଇ ଥାନା ଆଇଆଇସି ପହଞ୍ଚି ତଦନ୍ତ ଚଳାଇଛନ୍ତି । ହତ୍ୟାକାଣ୍ଡ ନେଇ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି ।