ରିସେପସନ୍ ପାର୍ଟିରେ ପଶିଲେ; ସୁନା, ଟଙ୍କା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁଇ ଲୁଟେରା

0
43
ରିସେପସନ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୦୫/୦୩) : ବଡ଼ ଧୁମଧାମରେ ଚାଲିଥିବା ରିସେପସନ୍ ପାର୍ଟି। ଷ୍ଟେଜରେ ଥିଲେ ବର କନିଆ। ସେମାନଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ପରିବାର ଲୋକେ ଓ ବନ୍ଧୁବାନ୍ଧବ କାମରେ ବ୍ୟସ୍ତ ଥିଲେ ।

ଏହି ବ୍ୟସ୍ତତାର ସୁଯୋଗ ନେଇ ରିସେପସନ୍ ପାର୍ଟିରେ କଳାକନା ବୁଲାଇ ଦେଲେ ଦୁଇ ଲୁଟେରା । ଅତିଥି ରୂପେ ଆସିଲେ, ରିସେପସନ ପାର୍ଟିର ମଜା ନେଲେ । ଏହାପରେ ସୁଯୋଗ ଦେଖି ସୁନା ଓ ଟଙ୍କା ଥିବା ବ୍ୟାଗ ଧରି ଛୁ ମାରିଲେ । ଏପରି ଏକ ଅଭାବନୀୟ ଘଟଣା ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ହୋଟେଲରେ ଘଟିଛି । ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଛି । ବିବାହ ଉତ୍ସବରେ ଅତିଥି ରୂପେ ପଶିଥିବା ଦୁଇ ଚୋରଙ୍କ ନଜର ଉକ୍ତ ବ୍ୟାଗ ଉପରେ ଥିଲା । ବ୍ୟାଗ୍‌ଟି ନିକଟରେ କେହି ନ ଥିବା ଦେଖି ସେମାନେ ବ୍ୟାଗ ଧରି ଫେରାର ମାରିଥିଲେ ।

ଜଣେ ଲୁଟେରା ବାହାରେ ଅପେକ୍ଷା କରିଥିବାବେଳେ ଆଉ ଜଣେ ସନ୍ଦିଗ୍ଧର ଫଟୋ ସିସିଟିଭିରେ କଏଦ ହୋଇଛି । ଭିଡ଼ କମିବା ପରେ ପରିବାର ଲୋକେ ଉକ୍ତ ବ୍ୟାଗକୁ ବହୁ ଖୋଜାଖୋଜି କରି ପାଇ ନ ଥିଲେ । ଏହାପରେ ସିସିଟିଭିରେ ସେମାନେ ଜଣେ ଯୁବକ ଉକ୍ତ ବ୍ୟାଗ୍‌ ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ଏନେଇ ସେମାନେ ତୁରନ୍ତ ପୁଲିସ୍‌କୁ ଜଣାଇଥିଲେ । ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ ବି ଲୁଟେରାଙ୍କ ସନ୍ଧାନ ମିଳି ପାରିନି ।