ବିଳମ୍ୱ ହେବାରୁ ତାତିଲେ ଦର୍ଶକ; ଫିଙ୍ଗିଲେ ଚେୟାର, ବନ୍ଦ ହେଲା ଯାତ୍ରା

0
60
ବିଳମ୍ୱ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୦୩) : ରେକର୍ଡ ଡ୍ୟାନ୍ସ ଓ ମେଲୋଡି ସରିଲା। ହେଲେ ନାଟକ ଆରମ୍ଭ ହେବାରେ ବିଳମ୍ୱ ହେଲା । ଯେଉଁଥିପାଇଁ ତାତିଲେ ଦର୍ଶକ । ଆକାଶରେ ଉଡିଲା ପ୍ଲାଷ୍ଟିକ୍‌ ଚେୟାର ।

ଭାଙ୍ଗିଲା ଷ୍ଟେଜରେ ଲାଗିଥିବା ଲାଇଟ୍‌। ପୁଲିସ୍‌ ମଧ୍ୟ ନାକେଦମ୍‌ ହେଲା । ହେଲେ ଶେଷରେ ବନ୍ଦ ହେଲା ଯାତ୍ରା। ଶୁକ୍ରବାର ବିଳମ୍ୱିତ ରାତିରେ ଏପରି ଦୃଶ୍ୟ କଟକ ଜିଲ୍ଲା ବଡମ୍ବା ଯୋଡୁମରେ ଦେଖିବାକୁ ମିଳିଛି । ବଡମ୍ବା ବ୍ଲକ୍‌ ଯୋଡ଼ମୁ ଗାଁରେ ‘ଓଡ଼ିଶା ଅପେରା’ ଖେଳୁଥିଲା । ଗତ ଦୁଇ ଦିନ ହେଲା ନାଟକ ପରିବେଷଣ ହେଉଥିଲା । ଶୁକ୍ରବାର ରାତିରେ ନାଟକ ଦେଖିବା ପାଇଁ ଖଚାଖଚ୍ଚ ଭିଡ଼ ହୋଇଥିଲା । ନିର୍ଦ୍ଧାରିତ ସମୟରେ ଯାତ୍ରା ଆରମ୍ଭ ହୋଇଥିଲା । ଗୋଟିଏ ପରେ ଗୋଟିଏ ଡ୍ୟାନ୍ସ ଓ ମେଲୋଡ଼ି ହୋଇଥିଲା । ଦର୍ଶକମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରୁଥିଲେ । ଡ୍ୟାନ୍ସ ଓ ମେଲୋଡି ସରିବା ପରେ ନାଟକ ଆରମ୍ଭ ହେବା କଥା । ହେଲେ ଅଭିନେତା ଓ ଅଭିନେତ୍ରୀ ଷ୍ଟେଜ୍‌କୁ ଆସିବାରେ ବିଳମ୍ୱ କଲେ ।

ମଞ୍ଚକୁ ଅଭିନେତା ଓ ଅଭିନେତ୍ରୀ ଆସିବାର ବିଳମ୍ୱ ଦେଖି ଦର୍ଶକଙ୍କ ଧୌର୍ଯ୍ୟର ବନ୍ଧ ଭାଙ୍ଗି ଥିଲା । ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆରମ୍ଭ ହୋଇଥିଲା ହୋ-ହଲ୍ଲା। ଏପରି ନାଟକ ଦେଖିବାକୁ ଆସିଥିବା ଲୋକମାନେ ଚେୟାର ଭଙ୍ଗାରୁଜା ଆରମ୍ଭ କରିଥିଲେ  । କେତେକ ଦର୍ଶକ ଷ୍ଟେଜ୍‌ ଉପରକୁ ଚେୟାର ଫିଙ୍ଗିଥିଲେ । ଯେଉଁଥିପାଇଁ ଷ୍ଟେଜରେ ଲାଗିଥିବା ଲାଇଟ୍‌ ଗୁଡ଼ିକ ଭାଙ୍ଗି ଯାଇଥିଲା ।

ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଅନୁଷ୍ଠାନର ଆଙ୍କର ଓ ଆୟୋଜକ ଷ୍ଟେଜ୍‌କୁ ଆସିଥିଲେ । ନୀରବତା ରକ୍ଷା କରିବାକୁ ଅନୁରୋଧ କରିଥିଲେ । ହେଲେ ଦର୍ଶକମାନେ ଶାନ୍ତ ପରିପଡ଼ିନଥିଲେ। ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ହେଲେ ଦର୍ଶକମାନେ ଶାନ୍ତ ପଡ଼ିନଥିଲେ । ଯେଉଁଥିପାଇଁ ଯାତ୍ରା ପରିବେଷଣକୁ ବନ୍ଦ ରଖିଥିଲା ଆୟୋଜକ କମିଟି । ଅର୍ଥାତ ଶୁକ୍ରବାର ରାତିରେ ନାଟକ ହୋଇନଥିଲା । ଶେଷରେ ଦର୍ଶକମାନେ ନିରାଶ ହୋଇ ଫେରିଥିଲେ । ତେବେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନି ।