ହୃଦ୍‌ଘାତରେ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦୟାସାଗର ଝାଙ୍କରଙ୍କ ଅକାଳ ବିୟୋଗ

0
81
ହୃଦ୍‌ଘାତରେ

ରିପୋର୍ଟ : ଭଗବାନ ମହାନ୍ତି
ମୁରିବାହାଲ, (୨/୪) : ମୁରିବାହାଲ ବ୍ଲକ୍‌ ହଳଦୀ ପଞ୍ଚାୟତ ଯମୁନା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୟାସାଗର ଝାଙ୍କର (୪୮) ଙ୍କ ଦେହାନ୍ତ

ହୃଦ୍‌ଘାତରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୟାସାଗର ଝାଙ୍କର (୪୮) ଙ୍କ ଦେହାନ୍ତ । ଝାଙ୍କର ଆଜି ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ସକାଳୁଆ ସ୍କୁଲ ପାଇଁ ଯମୁନା ସ୍କୁଲକୁ ସକାଳୁ ଆସି ବ୍ୟାଙ୍କକୁ ଯାଉଛି କହି ପୂର୍ବାହ୍ନ ୧୦.୩୦ରେ ସହକାରୀ ଶିକ୍ଷକ ତୀର୍ଥୟ ମାଝୀଙ୍କୁ ସ୍କୁଲରେ ଥିବାକୁ କହି ବାହାରିଥିଲେ । ସେ ନିଜ ଶିକ୍ଷୟିତ୍ରୀ ପତ୍ନୀ ତଥା ପାଖ ବନବାହାଲ ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କୁନ୍ତଳା ଯୁଗନିଆ(୩୫)ଙ୍କୁ ଧରି ପ୍ରଥମେ ମୁରିବାହାଲ ୟୁଜିବି ବ୍ୟାଙ୍କ ଓ ପରେ ମୁରିବାହାଲ ଷ୍ଟେଟ୍‌ ବ୍ୟାଙ୍କକୁ ଯାଇଥିଲେ । ମୁରିବାହାଲ ଷ୍ଟେଟ ବ୍ୟାଙ୍କ ଭିତରେ ଶାଖା ପରିଚାଳକଙ୍କ ସହ ଦିନ ୧୧ଟାରେ ଚୌକିରେ ବସି ଉଭୟ ଶିକ୍ଷକ ଦମ୍ପତି କୌଣସି ବିଷୟରେ ଆଲୋଚନା କରୁଥିଲେ । ହଠାତ ଶ୍ରୀ ଝାଙ୍କର ତାଙ୍କୁ ଭଲ ଲାଗୁନଥିବା କହି ଅସୁସ୍ଥ ଅନୁଭବ କରି ତଳେ ପଡ଼ିଯାଇଥିଲେ । ତାଙ୍କୁ ପତ୍ନୀଙ୍କ ସହ ଅନ୍ୟମାନେ ତୁରନ୍ତ ପାଖ ମୁରିବାହାଲ ସିଏଚ୍‌ସିକୁ ନେଇଥିଲେ ।

ସେଠାରେ ଦାୟିତ୍ୱରେ ଥିବା ଡ଼ାକ୍ତର ସମସ୍ତ ପ୍ରକାର ପ୍ରାଥମିକ ପରୀକ୍ଷା ପରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଥିବା ଘୋଷଣା କରିଥିଲେ । ମୃତ୍ୟୁ ଏମିତି ଵି ଆସେ କେହି କେବେ କଳ୍ପନା କରି ପାରିବେନି, ମଣିଷ ଜନ୍ମ ହୋଇଛି, ଦିନେ ତାର ମୃତ୍ୟୁ ସୁନିଶ୍ଚିତ କିନ୍ତୁ ଏମିତି ମୃତ୍ୟୁ ଯାହା ଆକସ୍ମିକ ଘଟିଛି କଳ୍ପନା ବାହାରେ । ଏ ସମ୍ପର୍କରେ ଖବର ପାଇ ମୁରିବହାଲ ଥାନା ପୁଲିସ ହସ୍‌ପିଟାଲ୍‌କୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କଣ୍ଟାବାଞ୍ଜିକୁ ପଠାଇଥିଲା । ଏ ନେଇ ମୁରିବାହାଲ ଥାନା ପୁଲିସ୍ ପକ୍ଷରୁ ଅପମୃତ୍ୟୁ କେସ ନଂ ୦୮/୨୦୨୪ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଭାରପ୍ରାପ୍ତ ଥାନା ଓଆଇସି ଦନାର୍ଦନ ଓରାମ ପ୍ରକାଶ କରିଛନ୍ତି ।

“ଶ୍ରୀ ଝାଙ୍କରଙ୍କ ପରଲୋକ ଖବର ପାଇ ମୁରିବାହାଲ ସିଏଚ୍‌ସିକୁ ମୁରିବାହାଲ ବିଇଓ କାର୍ଯ୍ୟାଳୟ କର୍ମଚାରୀଙ୍କ ସମେତ ବହୁ ସାଥୀ ଶିକ୍ଷକ, ଶିକ୍ଷୟିତ୍ରୀ, ଯମୁନା ସ୍କୁଲ ପରିଚାଳନା କମିଟି ସଭାପତି ହରେକୃଷ୍ଣ ସାହୁ, ସହକାରୀ ଶିକ୍ଷକ ତୀର୍ଥୟ ମାଝୀ, ଗ୍ରାମର ବହୁ ପୁରାତନ ଛାତ୍ର ଓ ଗ୍ରାମବାସୀ ପହଞ୍ଚି ଶେଷ ଦର୍ଶନ କରିଥିଲେ । ମୃତ ଶ୍ରୀ ଝାଙ୍କରଙ୍କ ପରିବାରରେ ଧର୍ମପତ୍ନୀ ତଥା ଶିକ୍ଷୟିତ୍ରୀ କୁନ୍ତଳା ଯୁଗନିଆ, ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ମୂଳତଃ ସଇଁତଳା ବ୍ଲକ୍‌ ଘୁନସର ଅଞ୍ଚଳର ମୂଳବାସିନ୍ଦା ଶ୍ରୀ ଝାଙ୍କର ଚାକିରୀ ଆରମ୍ଭରୁ ଦୀର୍ଘ ବର୍ଷ ଧରି ମୁରିବାହାଲ ବ୍ଲକ୍‌ ମୁଖ୍ୟାଳୟରେ ରହୁଥିବା ବେଳେ ଏବେ କିଛି ବର୍ଷ ଧରି ନିଜ ଶ୍ଵଶୁର ଘର ଗାଁ ବଙ୍ଗୋମୁଣ୍ଡାରେ ସପରିବାର ରହୁଥିଲେ ।

ନିଜର ବାପଘର ସହ ଶ୍ଵଶୁର ଘରଙ୍କ ଉପସ୍ଥିତିରେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଯମୁନା ପିୟୁପିଏସର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ସିଆରସିସି ଦୟାସାଗର ଝାଙ୍କରଙ୍କ ଆକସ୍ମିକ ଅକାଳ ବିୟୋଗରେ ବ୍ଲକ୍‌ ଅଞ୍ଚଳର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାପ୍ରେମୀ, ପୁରାତନ ଛାତ୍ରଛାତ୍ରୀ, ଯମୁନା ଗ୍ରାମବାସୀ ଓ ସ୍କୁଲର ସମସ୍ତ ଛାତ୍ରଛାତ୍ରୀଙ୍କ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।”