ମୃତଦେହ ଧରି ପୁରୀ ଯାଉଥିଲା ଆମ୍ବୁଲାନ୍ସ, ମଝି ବାଟରେ ଓଲଟି ପଡ଼ିଲା

0
50
ମୃତଦେହ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୧/୦୪) : ପୁରୀରେ ଶେଷକୃତ୍ୟ ସମ୍ପନ୍ନ ନିମନ୍ତେ ଆମ୍ବୁଲାନ୍ସରେ ଯାଉଥିଲା ମୃତଦେହ । ଗାଡ଼ିରେ ବନ୍ଧୁ ପରିଜନ ବି ଥିଲେ । ମାତ୍ର ହଠାତ୍‌ ଘଟିଲା ଅଘଟଣ ।

ମଝି ବାଟରେ ଓଲଟିଲା ଆମ୍ବୁଲାନ୍ସ । ଆଉ ସେଥିରେ ଥିବା ମୃତକଙ୍କ ୬ ସମ୍ପର୍କୀୟ ଦୁର୍ଘଟଣାରେ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏପରି ଏକ ଦୁର୍ଘଟଣା ଆଜି ଗଞ୍ଜାମ ଜିଲ୍ଲା ଖଲିକୋଟ ଜାତୀୟ ରାଜପଥ ବଡ଼ଘାଟିରେ ଘଟିଛି । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରୁ ଏକ ଘରୋଇ ଆମ୍ବୁଲାନ୍ସରେ ପୁରୀ ସ୍ଵର୍ଗଦ୍ଵାର ଅଭିମୁଖେ ଏକ ମୃତଦେହ ଯାଉଥିଲା। ମୃତଦେହ ସହ ୬ ସମ୍ପର୍କୀୟ ବି ପୁରୀ ଯାଉଥିଲେ । ଖଲ୍ଲିକୋଟ ବଡଘାଟି ନିକଟରେ ଆଜି ସକାଳେ ଦ୍ରୁତ ଗିତିରେ ଯାଉଥିବା ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଏକ ବାଇକ୍‌କୁ ଧକ୍କା ଦେଇ ରାସ୍ତା କଡ଼କୁ ଓଲଟି ପଡିଥିଲା ।

ଯାହା ଫଳରେ ଆମ୍ବୁଲାନ୍ସରେ ବସିଥିବା ମୃତକଙ୍କ ୬ ସମ୍ପର୍କୀୟ ଆହତ ହୋଇଥିଲେ।ଖବର ପାଇ ରାଜପଥ ପାଟ୍ରୋଲିଂ ଷ୍ଟାଫ ଆହତ ଅବସ୍ଥାରେ ସମସ୍ତ ୬ ଜଣଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ସଞ୍ଜୟ ମହାକୁଡ ନାମକ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର MKCG ସ୍ଥାନାନ୍ତରିତ କରାଯାଇଛି । ମୃତଦେହଟି ଖଲ୍ଲିକୋଟ ମେଡିକାଲରେ ଥିବା ବେଳେ ଦୁର୍ଘଟଣା ଖବର ପାଇ ଦିଗପହଣ୍ଡିରୁ ପରିବାରର ଅନ୍ୟ ସଦସ୍ୟ ପହଞ୍ଚିଥିଲେ । ସେମାନେ ଅନ୍ୟ ଏକ ଆମ୍ବୁଲାନ୍ସରେ ମୃତଦେହକୁ ନେଇ ପୁରୀ ଯାଇଥିବା ଜଣାଯାଇଛି।