ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହଣୀ ଦାବି ନେଇ ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ

0
72
ଦୁର୍ଗ - ପୁରୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଲା, (୧୭/୦୩) : ବଲାଙ୍ଗୀର ଜିଲ୍ଲା ସଇଁତଲା ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳି ହୋଇଥିବା ବେଳେ ଏଠିକାର ଲୋକେ ଦୂରଦୂରାନ୍ତ ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଏହି ସଇଁତଲା ରେଳଷ୍ଟେସନରେ ଠାରେ ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହି ଆସୁଥିଲା ବେଳେ ଏବେ ଦୁର୍ଗ – ପୁରୀ ଇଣ୍ଟରସିଟି ଟ୍ରେନ ରହୁ ନଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ପରିପେକ୍ଷୀରେ ଓଡିଶା ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ସଭାପତି ପ୍ରମୋଦ କୁମାର ସେଲମାଙ୍କ ନେତୃତ୍ୱରେ ସଂଘର ସଦସ୍ୟମାନେ ପହଞ୍ଚି ସଇଁତଲା ରେଳୱେ ଷ୍ଟେସନର ମାଷ୍ଟର ସୁରେଶ ଚନ୍ଦ୍ର ପାଢ଼ୀଙ୍କ ଜରିଆରେ ଡିଆରଏମ୍‌ ସମ୍ବଲପୁର ଡିଭିଜନଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏ ଦିଗରେ ପ୍ରଶାସନ କୌଣସି ହସ୍ତକ୍ଷେପ ଗ୍ରହଣ ନକଲେ ଆଗାମୀ ୧୫ ଦିନ ମଧ୍ୟରେ ଷ୍ଟେସନ ସମ୍ମୁଖରେ ଧାରଣା ଦେବା ପାଇଁ ନିଷ୍ପତି ନେଇଥିବା ସଂଘ ଚେତାବନୀ ଦେଇଛନ୍ତି ।

ପ୍ରକାଶ ଯେ, ସଇଁତଲା ରେଳୱେ ଷ୍ଟେସନ ପାଇଁ ନବୀକରଣ ପରେ ଇଣ୍ଟରସିଟି ଟ୍ରେନ ରହଣି ପାଇଁ ଅଞ୍ଚଳର ଲୋକେ ବେଶ ଆଶାବାଦୀ ରହିଥିଲେ । କିନ୍ତୁ ଗତ କିଛି ବର୍ଷ ଆଗରୁ ସଇଁତଲାବାସୀ ଉକ୍ତ ଟ୍ରେନ ରହଣି ପାଇଁ ଆନ୍ଦୋଳନ ମଧ୍ୟ କରିଥିଲେ । ଉକ୍ତ ଆନ୍ଦୋଳନ ପରେ ସରକାର ଟ୍ରେନ ରହଣି ପାଇଁ ଆଦେଶ ଦେଇଥିଲେ । ଟ୍ରେନର ରହଣି ପରେ ଭଲ ବ୍ୟବସାୟ ମଧ୍ୟ ହୋଇଥିଲା । ହେଲେ କରୋନା ମହାମାରୀ ପରେ ଟ୍ରେନ ରହଣିକୁ ରେଲୱେ କର୍ତ୍ତୁପକ୍ଷ ବନ୍ଦ କରି ଦେଇଥିଲେ । କରୋନା ମହାମାରୀ ପରେ ଅନ୍ୟ ଷ୍ଟେସନମାନଙ୍କରେ ଦୁର୍ଗ – ପୁରୀ ଇଣ୍ଟରସିଟି ରହୁଥିବା ବେଳେ ସଇଁତଲା ଷ୍ଟେସନରେ ରହୁ ନଥିବାରୁ ସ୍ଥାନୀୟ ଅଂଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତ କିଛି ମାସ ତଳେ ସମ୍ବଲପୁର ଡିଆରଏମ ସଇଁତଲା ଷ୍ଟେସନକୁ ଆସିଥିବା ବେଳେ ସଇଁତଲା ବିକାଶ ପରିଷଦ ତାଙ୍କୁ ସାକ୍ଷାତ କରି ଟ୍ରେନ ରହଣି ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ।

ଉକ୍ତ ଟ୍ରେନ ରହିବା ପାଇଁ ସେ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ତାଙ୍କ ଦେଇଥିବା ପ୍ରତିଶୃତି ଦୀର୍ଘ ଦିନ ହେଲା ପରେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଲା ନାହିଁ । ଯାହା ଫଳରେ ଦିନକୁ ଦିନ ଅସନ୍ତୋଷ ବୃଦ୍ଧି ପାଉଛି । ଉକ୍ତ ଟ୍ରେନର ରହଣି ହେଲେ ବ୍ୟବସାୟୀକ ପେଣ୍ଠସ୍ଥଳି ରାୟପୁର ଓ ଜଗନ୍ନାଥ ଧାମ ପୁରୀକୁ ଯିବା ପାଇଁ ସଇଁତଲା ବ୍ଲକର ୨୨ ଗୋଟି ପଞ୍ଚାୟତ ତଥା ଗୁଡଭେଳା, ତୁଷୁରା ସହିତ ପଡୋଶୀ ଜିଲ୍ଲା କଳାହାଣ୍ଡିର ଲୋକମାନେ ମଧ୍ୟ ସୁବିଧା ପାଇ ପାରିବେ ବୋଲି ଆଶା ବାନ୍ଧିଛନ୍ତି । ଗତ କିଛି ମାସ ତଳେ ଛକୋରବାଞ୍ଜିକୁ ବଲାଙ୍ଗୀର ସାଂସଦ ସଂଗୀତା ସିଂଦେଓ ସଇଁତଳା ବ୍ଲକ ପରିଦର୍ଶନରେ ଆସିଥିବା ବେଳେ ତାଙ୍କୁ ସଇଁତଳା ସାମ୍ବାଦିକ ସଂଘ ଭେଟି ଉକ୍ତ ଟ୍ରେନର ରହଣି ପାଇଁ ଦାବୀ କରିଥିଲେ ।

ହେଲେ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳି ପାରିନାହିଁ । ଆଗକୁ ନିର୍ବାଚନ ଥିବାବେଳେ ସଇଁତଲା ତଥା ଆଖପାଖ ଅଞ୍ଚଳର ସାମାଜିକ ତଥା ଅର୍ଥନୈତିକ ବିକାଶ ଦୃଷ୍ଟିରୁ ଏ ଦିଗରେ ରେଲୱେ କତୃପକ୍ଷ କେବେ କାର୍ଯ୍ୟକାରୀ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । ଏହି ଦାବୀପତ୍ର ଦେବା ସମୟରେ ସାମ୍ବାଦିକ ବିଶାଳ ଅଗ୍ରୱାଲ, ପ୍ରଦୀପ ବାଗ, ନାରାୟଣ ସାହୁ, ସୁଶାନ୍ତ ମେହେର, ରଞ୍ଜନ ବାଗ, ଚନ୍ଦ୍ରଭାନୁ ପ୍ରଧାନ ଓ ସଇଁତଲା ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।