ସନ୍ଦୀପ ହତ୍ୟାକାଣ୍ଡ : ହତ୍ୟା କରିଥିବା ଅଭିଯୋଗ ରେ ୩ ଗିରଫ, ବ୍ୟବହୃତ ସ୍କୁଟି ଓ ଛୁରୀ ଜବତ

0
178

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର,(୨୪/୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ସନ୍ଦୀପ ହତ୍ୟାକାଣ୍ଡ ଘଟଣା ବିଷୟରେ ସୋନପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ଏସ ପି ସୀତାରାମ ଶତପଥୀ ସୂଚନା ଦେଇ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବା ବିନିକା ର କାର୍ତିକ ନାଗ (୨୪), ନରେନ୍ଦ୍ର କୁମାର ବେହେରା (୨୦) ଓ ଉଲୁଣ୍ଡା ଥାନା ଅନ୍ତର୍ଗତ ଗଣ୍ଡାବାହାଲ ଗାଁ ର ଦିବ୍ୟ ଜଗଦଳା (୨୮) କୁ ଗିରଫ କରାଯାଇଥିବାବେଳେ ବ୍ୟବହୃତ ହୋଇଥିବା ଧାରୁଆ ଅସ୍ତ୍ର ଛୁରୀ ଓ ସ୍କୁଟି କୁ ଜବତ କରାଯାଇଛି ।

ସନ୍ଦୀପ ହତ୍ୟାକାଣ୍ଡ ମାମଲାରେ ଏହି ୩ ଜଣ ଆସାମୀକୁ କୋର୍ଟକୁ ଚାଲାଣ କରାଯାଇଛି । କିନ୍ତୁ କୋର୍ଟରେ ଜାମିନ ନା ମଞ୍ଜୁର ହୋଇଯାଇଥିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ବିନିକା ସହରର ଦେବେନ୍ଦ୍ର ସାହୁଙ୍କ ପୁଅ ସନ୍ଦୀପ ସାହୁ (୨୩)କୁ ଗତ ୧୪ ତାରିଖ ଦିନ ପ୍ରାୟ ୧ ଟା ସମୟରେ କାର୍ତିକ ନାଗ ଓ ନରେନ୍ଦ୍ର ବେହେରା ପାପକ୍ଷୟ ନିକଟସ୍ଥ ପମ୍ପ ହାଉସ କୁ ଡାକିନେଇଥିଲେ । ସେଠାରେ ସନ୍ଦୀପକୁ ଛୁରୀ ରେ ବାରମ୍ବାର ଏମାନେ ଆଘାତ କରିଥିଲେ । ସେ ମରିଯିବା ପରେ ତାକୁ ମହାନଦୀରେ ଭସାଇ ଦେଇଥିଲେ ।

ସନ୍ଧ୍ୟାରେ ସନ୍ଦୀପ ଘରକୁ ନ ଫେରିବା ଓ ତାର ମୋବାଇଲ ସୁଇଜ ଅଫ ହୋଇଥିଲା । ପରିବାର ଲୋକେ ଖୋଜାଖୋଜି କରି ତାକୁ ପାଇ ନ ଥିଲେ । ସନ୍ଦୀପ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଗତ ୧୮ତାରିଖ ଦିନ ବୌଦ୍ଧ ଜିଲ୍ଲା ମହାନଦୀ ରୁ ସନ୍ଦୀପ ର ମୃତଦେହ ମିଳିଥିଲା । ଏ ନେଇ ସନ୍ଦୀପ କୁ ମାରି ଦିଆଯାଇଥିବା ନେଇ ତାଙ୍କ ବାପା ଦେବେନ୍ଦ୍ର କୁମାର ସାହୁ ବିନିକା ଥାନାରେ ଅବିଯୋଗ କରିବାରୁ ପୁଲିସ ଏକ ମକଦ୍ଦମା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସନ୍ଦୀପ ପିନ୍ଧିଥିବା ସୁନା ଚେନ ଓ ମୁଦି କୁ ଆସାମୀ ଦ୍ୱୟ ଦିବ୍ୟ ଜଗଦଲା ଠାରେ ବିକ୍ରି କରି ଦେଇଥିବା ପୁଲିସ ଠାରେ କହିଛନ୍ତି ।