ଭୁଶୁଡ଼ିଲା ନିର୍ମାଣାଧୀନ କୋଠାର ଛାତ; ୪ ଆହତ, ଶ୍ରମିକ ଫସି ରହିଥିବା ଆଶଙ୍କା

0
30
ଭୁଶୁଡ଼ିଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୨୯/୦୪) : ପୁରୀ ରେଲୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କିଛି ଶ୍ରମିକ ଫସିରହିଥିବା ଅନୁମାନ କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆଜି ସକାଳ ପୁରୀ ରେଲୱେ ଷ୍ଟେସନରେ ନବନିର୍ମିତ କୋଠାର ଛାତ ପଡ଼ୁଥିଲା। ୬ରୁ ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ । ହଠାତ୍ ଛାତଟି ଭୁଶୁଡ଼ି ପଡ଼ିବାରୁ ଶ୍ରମିକମାନେ ତା’ତଳେ ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଅନ୍ୟ ଶ୍ରମିକମାନେ ଚାପି ହୋଇରହିଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ କର୍ମଚାରୀ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ଜେସିବି ମେସିନ ଦ୍ୱାରା ଲୁହା ରଡକୁ ଉଠାଯାଉଛି । ତେବେ କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା କାରଣ ଜଣାପଡ଼ିନାହିଁ । ଦୁର୍ଘଟଣା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ପୁରୀ ଉପଜିଲ୍ଲାପାଳ । କେଉଁ ପରିସ୍ଥିତିରେ ଛାତ ଭୁଶୁଡ଼ିଲା ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି ।