ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ : ରାସ୍ତା ଦୁର୍ଘଟଣାକୁ ହ୍ରାସ ଉପରେ ଆଲୋଚନା

0
165

ରିପୋର୍ଟ : ରଞ୍ଜିତ ବେହେରା
ଢେଙ୍କାନାଳ,(୨୮/୦୯) : ଆଜି ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାସ୍ତା ଦୁର୍ଘଟଣାକୁ ହ୍ରାସ କରି ଜିଲ୍ଲାବାସୀଙ୍କ ଧନ ଜୀବନ ହାନି କିଭଳି ସମ୍ପୂର୍ଣ୍ଣ ରୋକା ଯାଇପାରିବ ସେଥିପ୍ରତି ଜନସଚେତନା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।WhatsApp Image 2021 09 29 at 7.19.08 AM 1 ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ : ରାସ୍ତା ଦୁର୍ଘଟଣାକୁ ହ୍ରାସ ଉପରେ ଆଲୋଚନା

ଏହି ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ନିୟମିତ ବ୍ୟବଧାନରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା , ବିଭିନ୍ନ କାର୍ଯ୍ୟକ୍ରମ ଆଦି ଆୟୋଜନ କରି ଜନସାଧାରଣଙ୍କୁ ଅଧିକ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ସଡକ ସୁରକ୍ଷା ନିୟମ ଅନୁପାଳନ ଓ ଧନ ଜୀବନ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଉପଖଣ୍ଡ ସ୍ତରରେ ମଧ୍ୟ ନିୟମିତ ବୈଠକ ଡକାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ଘଟଣାକୁ ରୋକିବା ନିମନ୍ତେ ଖାଲ ଓ ନଷ୍ଟ ହୋଇଥିବା ରାସ୍ତାର ଯଥାଶୀଘ୍ର ମରାମତି ନିମନ୍ତେ ଏକ ସ୍କାଡ ଗଠନ ଓ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଖାଲଖମା ପୂରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲା ସଡକ ସୁରକ୍ଷା କମିଟି ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ ରଥ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ବୈଠକରେ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର ଅଗ୍ରଗତି, ସିଡ଼ ଲିମିଟ ବୋର୍ଡ ସ୍ଥାପନ, ବୋଝେଇ ଟ୍ରକ ଚଳାଚଳ, ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ରମ୍ବଲର ନିର୍ମାଣ, ବିପଦପୂର୍ଣ୍ଣ ରାସ୍ତାରେ ସାଇନେଜ ସ୍ଥାପନ, ରାସ୍ତାରୁ ଗୋରୁଗାଈ ଓ ଷଣ୍ଟମାନଙ୍କୁ ହଟାଇବା, ସଡକ ସୁରକ୍ଷା ନିୟମ ଉଲଂଘନକାରୀଙ୍କୁ ଚେକିଙ୍ଗ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଆଞ୍ଚଳିକ ପରିବହନ ପକ୍ଷରୁ ସମସ୍ତ ବ୍ଲକ ଗୁଡିକର ପ୍ରମୁଖ ସ୍ଥାନମାନଙ୍କରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବୋର୍ଡ ସ୍ଥାପନ, ଆଞ୍ଚଳିକ ପରିବହନ ଓ ପୋଲିସ ପ୍ରଶାସନ ଦ୍ୱାରା ରାସ୍ତା ଦୁର୍ଘଟଣାର ଯୁଗ୍ମ ତଦାରଖ, ସ୍ୱେଚ୍ଛାସେବୀ, ଯୁବଗୋଷ୍ଠୀ, ହାଇ ସ୍କୁଲର ଏନସିସି, ସ୍କାଉଟ ଓ ରେଡକ୍ରସ ଆଦିର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସଡକ ସୁରକ୍ଷା ସଚେତନତା ସୃଷ୍ଟି ସମ୍ପର୍କରେ ଆଲୋଚନା କରଯାଇଥିଲା ।

ବୈଠକ ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବସନ୍ତ କୁମାର ମାଝି ସଡକ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ସଡକ ସୁରକ୍ଷା କମିଟିର ନୋଡାଲ ଅଫିସର ଶ୍ରୀମତୀ ହରପ୍ରିୟା ନାୟକ, ସଦସ୍ୟ ଶ୍ରୀ ବିରଞ୍ଚି ନାରାୟଣ ପାଣି, ଶ୍ରୀ ରତନ କୁମାର ନାୟାର ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।