ମାଆଙ୍କ ଚିତାରେ ଜୁଇ ଦେଲା ଝିଅ : ଅସହାୟ ଝିଅକୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ନିବେଦନ

0
309

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ,(୧୭/୧୦) : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି | ଗ୍ରାମର ଅସହାୟ ମହିଳା ମୁକ୍ତା ସାହୁଙ୍କ ଆଜି ବିୟୋଗ ହୋଇଯିବା ପରେ ତାଙ୍କର ଝିଅ ସୀମା ସାହୁ ଗାଁ ମଶାଣୀକୁ ଯାଇ ମାଆଙ୍କ ମୁଁହରେ ନିଆଁ ଦେବା ସହ ମାଆଙ୍କ ଚିତାରେ ଜୁଇ ଅଗ୍ନି ସଂଯୋଗ କରିଥିଲେ |

ହିନ୍ଦୁ ସଂସ୍କୃତି ଅନୁଯାଇ ପୁଅ ମାନେ ହିଁ ବାପା ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ବୋଲି ଆମ ସମାଜରେ ଥିବା ନିୟମକୁ ନ ମାନି ନିଜ ଜନ୍ମ କଲା ମାଆଙ୍କ ଚିତାରେ ଜୁଇ ସଂଯୋଗ କରି ବାସ୍ତବରେ ଉଦାହରଣ ସୃଷ୍ଟି କରିଛନ୍ତି ସୀମା ସାହୁ l ସୂଚନା ଅନୁଯାୟୀ ପିଲାଟି ଦିନରୁ ବାପାଙ୍କୁ ହରାଇ ମାଆ ସହ ଗୁଦଭେଲିପଦର ରହୁଥିଲେ ସୀମା | ମାଆ ମୁକ୍ତା ସାହୁ ଗାଆଁ ସ୍କୁଲରେ ରୋଷେଇ କରି ଉଭୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ | ବର୍ତ୍ତମାନ ମୁକ୍ତାଙ୍କ ମୃତ୍ୟୁ ପରେ ସୀମା ଏକୁଟିଆ | ଆଜି ମାଆଙ୍କ ମୃତ୍ୟୁ ହେବା ପରେ ଗାଁ ଓ ଜାତି ଲୋକଙ୍କ ସହାୟତାରେ ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି |

ଆଗାମୀ ଦିନରେ ସାରା ଜୀବନ ଚଲିବେ କେମିତି ଏ ପ୍ରଶ୍ନର ଉତ୍ତର ଖୋଜି ପାଉନାହାନ୍ତି ସୀମା l ଜିଲ୍ଲା ପ୍ରଶାସନ ଅସହାୟ ଓ ଏକାକିନୀ ଥିବା ପିତୃ ମାତୃହରା ସୀମାକୁ ସହାୟତାର ହାତ ବଢାଇବାକୁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |