ଉତ୍କଳ ବିଶ୍ୱବିଦ୍ୟାଳୟ ର ୭୯ ତମ ପ୍ରତିଷ୍ଠା ଦିବସ : ଉନ୍ନତି ପାଇଁ ସାମୂହିକ ଚେଷ୍ଟା କରିବାକୁ ଆହ୍ୱାନ

0
181

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୨୮/୧୧) : ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରାଧ୍ୟାପକ ଙ୍କ ପାଠପଢ଼ା ଶୈଳି ଓ ଗବେଷଣା ଦେଶରେ ଆଦୃତ ହୋଇଥିବା ବେଳେ ଶିକ୍ଷାନୁଷ୍ଠାନ କୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଣିବା ପାଇଁ ସାମୂହିକ ପ୍ରଚେଷ୍ଟା କରିବା ଆବଶ୍ୟକ । ବିଶ୍ୱବିଦ୍ୟାଳୟ ପ୍ରତିଯୋଗୀତାମୂଳକ ହେଲେ ଏହାର ଉନ୍ନତି ହୋଇପାରିବ ବୋଲି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ ର ୭୯ ତମ ପ୍ରତିଷ୍ଠା ଦିବସ ସମାରୋହ ଅବସରରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ସମାଜ ଓ ସଂସ୍କୃତି ର ଅନନ୍ୟ ପର୍ବ ପବିତ୍ର ପ୍ରଥମାଷ୍ଟମୀ ଅବସରରେ ଓଡ଼ିଶାର ପ୍ରଥମ ଉତ୍କଳ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ମୁଁ ଗର୍ବିତ । ଉତ୍କଳ ବିଶ୍ୱବିଦ୍ୟାଳୟ ସେହିଭଳି ମହାନୁଭବଙ୍କ ନେତୃତ୍ୱରେ ପ୍ରତିଷ୍ଠା ହୋଇପାରିଥିଲା, ଯେଉଁମାନେ ଓଡିଶାର ସ୍ୱତନ୍ତ୍ରତା ର ସ୍ୱପ୍ନ ଦେଖିଥିଲେ । କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ, ବିଶ୍ୱନାଥ ଦାସଙ୍କ ସାମୂହିକ ପ୍ରଚେଷ୍ଟାରେ ଗଢି ଉଠିଥିବା ଏହି ଶିକ୍ଷାନୁଷ୍ଠାନ ଆଜି ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ଏବଂ ଆକାଂକ୍ଷାକୁ ପୂରଣ କରିବାରେ ସଫଳ ହୋଇଛି ।

ସେହିପରି ମୋ ଭଳି ମଧ୍ୟ ଜଣେ ସାମାଜିକ କାର୍ଯ୍ୟକର୍ତାର ପ୍ରାରମ୍ଭିକ ଜୀବନର ମୂଳଦୁଆ କୁ ସୁଦୃଢ଼ ଓ ଆତ୍ମବିଶ୍ୱାସୀ କରିବାରେ ବିଶ୍ୱବିଦ୍ୟାଳୟ ର ଅବଦାନ ଅତୁଳନୀୟ । ସମାଜ ପରିବର୍ତ୍ତନ ର ମାଧ୍ୟମ ଓ ଲୋକଙ୍କ ସହ ନିଜକୁ ବାନ୍ଧି ରଖିବାର ଶିକ୍ଷା ର ପ୍ରେରଣା ମୋତେ ଏହି ଠାରୁ ହିଁ ମିଳିଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟ ପାଇଁ ନାକ୍ A+ ମାନ୍ୟତା ପ୍ରାପ୍ତ ଏହି ଶିକ୍ଷାନୁଷ୍ଠାନ ମେଂଟର ହିସାବରେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ଓଡ଼ିଶା ର ପୁଞ୍ଜି ହେଉଛି ଏହାର ବୌଦ୍ଧିକ କ୍ଷମତା । ଅର୍ଥାତ୍ ପଢ଼ିବା, ପଢ଼ାଇବା ଏବଂ ବୁଝାଇବା ଓଡିଆଙ୍କ ଧମନୀରେ ରହିଛି । ସେଭଳି ଜଣେ ଅନନ୍ୟ ବ୍ୟକ୍ତିତ୍ୱ ହେଲେ ଡ଼ା. ରଜତ କୁମାର କର । ପଦ୍ମଶ୍ରୀ ଡ଼ା. କରଙ୍କ ଶିକ୍ଷାଦାନର ପଦ୍ଧତି ଚକ୍ ଏବଂ ଟକ୍ ଥିଓରି ଅନେକ ଛାତ୍ରଛାତ୍ରୀଙ୍କ ସହ ମୋତେ ପ୍ରଭାବିତ କରିଛି ।