ବେଆଇନ ଦାଦନ ଶ୍ରମିକ ଚାଲାଣ ଉପରେ ରୋକ ଲଗାଇବାରେ ବିଫଳ ପ୍ରଶାସନ

0
175

ରିପୋର୍ଟ : ସନ୍ତୋଷ ନାୟକ //
ବଲାଙ୍ଗୀର,ତା(୩୦/୧୧) : ପାଟଣାଗଡ଼ ଉପଖଣ୍ଡ ବେଲପଡା, ଖପ୍ରାଖୋଲ, ପାଟଣାଗଡ଼ ବ୍ଳକ ରେ ଦିନକୁ ଦିନ ବେଆଇନ ଦାଦନ ଶ୍ରମିକ ଚାଲାଣ କାରବାର ଓ ଅପରାଧ ବଢ଼ିଚାଲିଥିବା ବେଳେ ଏବେ ଦାଦନ ଋତୁ ହୋଇଥିବା ଯୋଗୁଁ ଦିନକୁ ଦିନ ଦାଦନ ଚାଲାଣ ହେଉଥିବା ଦେଖିବାକୁ ମିଳୁଛି ।

ଏଠାରୁ ପ୍ରତିବର୍ଷ ପ୍ରଚୁର ପରିମାଣରେ ବେଆଇନ ଦାଦନ ଶ୍ରମିକ ଚାଲାଣ ହେଉଛନ୍ତି ଓ ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟ ସରକାର ଲୋକଙ୍କୁ କାମ ଯୋଗାଇ ଦେଇ ନପାରିବାରୁ ଏମାନେ ବାହାର ରାଜ୍ୟକୁ ଯାଉଥିବା ଶୁଣିବାକୁ ମିଳେ । ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଅଛି କିନ୍ତୁ ଏପଟେ ଭୋଟର ସଂଖ୍ୟା କମିବାରେ ଲାଗିଥିବାରୁ ନିର୍ବାଚନ କମିଶନରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ସୂଚନାଯୋଗ୍ୟ ଯେ ମଙ୍ଗଳବାର ଦିନ ସକାଳ ୮:୩୦ ସମୟରେ ଖପ୍ରାଖୋଲ ଥାନା କର୍ଲାମାଲ ଗାଁ ର ୩୧ ଜଣ ଦାଦନ ଶ୍ରମିକ ହାଇଦ୍ରାବାଦ ଯିବା ପାଇଁ ବାହାରି ଥିବାବେଳେ କୁର୍ଲୁମାଲ ଛକ ଠାରେ ଖପ୍ରାଖୋଲ ଥାନା ଏଏସ୍ ଆଇ ସାୱନ କେରକେଟା କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ ଏବଂ ଦାଦନ ଶ୍ରମିକ ମାନଙ୍କୁ ଥାନା ପରିସରକୁ ଆଣିଥିଲେ ।

ପଚରାଉଚରା ପରେ ଦାଦନ ଦଲାଲ୍ କର୍ଲାମାଲ ଗାଁର ପ୍ରେମାନନ୍ଦ ପାଣ୍ଡେ ଓ ଲାଠୋର ଥାନା ପୁଟକେଲଚୁଆଁ ର ମୋତିରାମ ମାଝୀକୁ ଗିରଫ କରିବା ସହ ଏକ ପିକ୍ଅପ୍ ଭ୍ୟାନ ଓଡ଼ି୧୭ଏଲ ୭୧୫୭ କୁ ଜବତ କରିଯାଇଛି । ଉଦ୍ଧାର ଦାଦନ ଶ୍ରମିକ ମଧ୍ୟରେ ୧୧ ଜଣ ପୁରୁଷ ୮ ଜଣ ମହିଳା ଓ ୧୨ ଜଣ ଶିଶୁ ଥିବା ଜଣାପଡିଛି । ପୋଲିସ ତଦନ୍ତ ପରେ ଜଣାପଡ଼ିଥିଲା ଯେ, କୌଣସି ଲାଇସେନ୍ସ କିମ୍ବା ମୋମେଣ୍ଟ ଅର୍ଡର ନ ଥିବାରୁ ଥାନା ରେ କେଶ ନମ୍ବର ୨୦୩/୨୧ ଧାରା ୪୨୦, ୩୭୦, ୩୭୪, ୩୪ ଆଇ ପି ସି ଏକ ମାମଲା ରୁଜୁ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ତଦନ୍ତ କାରୀ ଅଫିସର ନାରାୟଣ ସାହୁ ସୂଚନା ଦେଇଛନ୍ତି ।

ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଯୋଗଦେବା ଦିନ ଠାରୁ ଅନେକ ଅପରାଧୀ ଗିରଫ କରିବା ସହ ବେଆଇନ କାରବାର ଉପରେ ରୋକ୍ ଲଗାଉଛନ୍ତି ବୋଲି ଅଞ୍ଚଳବାସୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଥିବା ବେଳେ ଲାଠୋର ରେଲୱେ ଷ୍ଟେସନ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦାଦନ ଚାଲାଣ ହେଉଛି କିନ୍ତୁ ମାତ୍ର ଗୋଟିଏ ଥର ଉଦ୍ଧାର ନ କରି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଏପଟେ ବେଲପଡା ଅଞ୍ଚଳ ଦାଦନ ଦଲାଲ୍ ଙ୍କ ପେଣ୍ଠସ୍ଥଳୀ ପାଳଟିଥିବାବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପାଇଁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ।