ତାଲାଭାଙ୍ଗି ନେଇଗଲେ ସୁୁୁରେଶ୍ୱରୀ ମା ଙ୍କ ଛତ୍ର ଓ ମୁକୁଟ

0
173

ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି : ଭକ୍ତଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ
ରିପୋର୍ଟ : ଧ୍ରୁବରାଜ ମିଶ୍ର //
ସୋନପୁର, (୧/୧୨) : ମନ୍ଦିର ମାଳିନୀ ସହର ସୋନପୁରରେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛି ମନ୍ଦିରଗୁଡିକ । ସୋମବାର ରାତିରେ ଏକକାଳୀନ ତିନୋଟି ମନ୍ଦିରରେ ତାଲାଭାଙ୍ଗି ନେଇଗଲେ ଦୁର୍ବୃତ୍ତ । ତେବେ ଚୋରଙ୍କ କବଳରୁ ସୋନପୁରର ଇଷ୍ଟଦେବଙ୍କ ମନ୍ଦିର ମଧ୍ୟ ବର୍ତ୍ତିଲା ନାହିଁ ।a63556d0 1187 49ad a1e6 10f06aa38b72 ତାଲାଭାଙ୍ଗି ନେଇଗଲେ ସୁୁୁରେଶ୍ୱରୀ ମା ଙ୍କ ଛତ୍ର ଓ ମୁକୁଟ

ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ଦୁଇଟି ରୂପାଛତ୍ର ଏବଂ ଗୋଟିଏ ରୂପା ମୁକୁଟ ଚୋରି ହୋଇଥିବାରୁ ଏହା ଭକ୍ତଙ୍କୁ ଗଭୀର ଆଘାତ ଦେଇଛି । ମୁକୁଟର ପ୍ରାୟ ୨୦ କେଜି ଏବଂ ଛତ୍ରର ଓଜନ ଅଧକେଜି ଲେଖାଏଁ ହେବ ବୋଲି ଅନୁମାନ କରାଯାଉଛି । ସୋନପୁରରେ ସୁରକ୍ଷା ବ୍ୟବସ୍ଥା ବିଗିଡି ଗଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ରାତିରେ ୩ ଜଣ ପୁଲିସ୍ କର୍ମଚାରୀ ମନ୍ଦିରରେ ନିୟୋଜିତ ହୋଇ ମଧ୍ୟ ତାଲାଭାଙ୍ଗି ନେଇଗଲେ ଚୋରି ହୋଇଥିବାରୁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ମନ୍ଦିରରୁ ଚୋରି ହୋଇଥିବା ଯୋଗୁଁ ଦିନ ସାଢେ ୧୨ଟାରେ ମାଙ୍କ ମନ୍ଦିର ଖୋଲି ନୀତିକାନ୍ତି କରାଯାଇ ଥିଲା । କେବଳ ସୁରେଶ୍ୱରୀ ନୁହନ୍ତି ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁ ମନ୍ଦିର ପରିସରରୁ ମଧ୍ୟ ଚୋରି ହୋଇଛି । କିଛି ଦିନ ତଳେ ପ୍ରତିଷ୍ଠା ହୋଇଥିବା କାଳି ମାଙ୍କ ସୁନା କାନ ରିଙ୍ଗ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଆମ୍ଭଘାଟ ନିକଟରେ ଥିବା ଗଣେଶ ମନ୍ଦିରରର ଦାନବାକ୍ସ ଭାଙ୍ଗି ଟଙ୍କା ପଇସା ନେଇ ଯାଇଛନ୍ତି ଦୁର୍ବୃତ୍ତ । ଓଁକାର ନାଥ ମନ୍ଦିରର ତାଲା କାଟିବା ପାଇଁ ଉଦ୍ୟମ ହୋଇଥିବା ଜଣା ପଡିଛି । ସାଇଣ୍ଟିଫିକ୍ ଟିମ୍ ସମସ୍ତ ମନ୍ଦିରକୁ ଯାଇ ବିଭିନ୍ନ ନମୁନା ସଂଗ୍ରହ କରିଛନ୍ତି । ସନ୍ଧାନୀ କୁକୁର ସହାୟତାରେ ମଧ୍ୟ ଅନୁସନ୍ଧାନ ଚାଲିଛି । ତେବେ କିଛି ଦିନ ପୂର୍ବରୁ ଓଁକାର ନାଥ ମନ୍ଦିର ବେଢାରୁ ମୁଗୁନି ପଥରର ମା ପାର୍ବତୀଙ୍କ ମୂର୍ତ୍ତି ଚୋରି ହୋଇଥିଲା । ଏ ଯାଏଁ ତାହା ଉଦ୍ଧାର ହୋଇ ପାରିନାହିଁ । ସୁରେଶ୍ୱରୀ ମନ୍ଦିରର ସମସ୍ତ ପାଣି ପାଇପ୍ ଦୁର୍ବୃତ୍ତ ମାନେ କାଟି ନେଇଥିଲେ । କିଛି ଦିନ ତଳେ ସୁବର୍ଣ୍ଣମେରୁ ମନ୍ଦିରରୁ ମଧ୍ୟ ଚୋରି ଅଭିଯୋଗ ହୋଇଥିଲା ।

ସୋମବାର ରାତିରେ ବିଭିନ୍ନ ମନ୍ଦିରରୁ ସିରିଜ୍ ଚୋରି କରି ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା । ଘଟଣାରେ ଦୁଇ ଜଣ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ସୋନପୁର ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର । କିଛି ସୁରାକ୍ ପୁଲିସ୍‌ର ହସ୍ତଗତ ହୋଇଛି, ଖୁବ୍ ଶୀଘ୍ର ଦୁବୃର୍ତ୍ତ ମାନଙ୍କୁ ଧରାଯିବ ବୋଲି ସେ କହିଛନ୍ତି । ଇତି ମଧ୍ୟରେ ସୁବର୍ଣ୍ଣପୁର ଏସପି ମନ୍ଦିର ଚୋରି ଘଟଣା ରେ ତିନି ଜଣ ପୁଲିସ ଙ୍କୁ ନିଲମ୍ବନ କରିଥିବା ସୂଚନା ମିଳିଛି l ଜଣେ କନେଷ୍ଟେବଳ ଓ ଦୁଇଜଣ ଗୃହରକ୍ଷୀ ବୋଲି ସୂଚନା ମିଳିଛି ।

ମନ୍ଦିର ଗୁଡିକରୁ ବାରମ୍ବାର ଚୋରି ହେଉଥିବାରୁ ଜନସାଧାରଣରେ ଅସନ୍ତୋଷ ଦେଖା ଦେଉଛି । ମନ୍ଦିର ଗୁଡିକରେ ପୁଲିସ ସୁରକ୍ଷା ଯୋଗାଇ ଦେବାକୁ ଦାବୀ ହେଉଥିବା ବେଳେ ପୁଲିସ ପେଟ୍ରୋଲିଂ ସହରରେ କଡାକଡି କରାଯାଉ । ଚୋରିକୁ ରୋକିବାକୁ ପୁଲିସ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉ ବୋଲି ଦାବି ହେଉଛି l