କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ୧୬ ରୁ : ପ୍ରମାଣପତ୍ର ସହ କଳା ପ୍ରଦର୍ଶନ ର ପ୍ରମାଣ ଦେବାକୁ ପଡିବ

0
151

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୨/୧୨) : ବୌଦ୍ଧ ଜିଲ୍ଲା ରେ ଶହ ଶହ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଜିଲ୍ଲା ର ତିନୋଟି ବ୍ଲକରେ ବହୁ ସଂଖ୍ୟାରେ କଳାକାର ଭତ୍ତା ନିମନ୍ତେ ଆବେଦନ କରିଥିବା ବେଳେ ସ୍ୱଚ୍ଛତା ର ସହିତ ପ୍ରକୃତ କଳାକାରଙ୍କୁ ଚିହ୍ନଟ କରି ଭତ୍ତା ପାଇଁ ତାଙ୍କରି ଆବେଦନ ସରକାରଙ୍କ ନିକଟକୁ ପଠାଇବାକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବୌଦ୍ଧ ଏନଏନସି ଓ ତିନୋଟି ବ୍ଲକରେ ଭତ୍ତା ପାଇଁ ଆବେଦନ କରିଥିବା କଳାକାର ଚିହ୍ନଟ ପ୍ରକ୍ରିୟା ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।

ଆସନ୍ତା ୧୬ ତାରିଖ ଦିନ ବୌଦ୍ଧ ଏନଏସି ପାଇଁ କଳାକାର ଚିହ୍ନଟ ପ୍ରକ୍ରିୟା ଦିନ ୧୧ ଘଣ୍ଟା ସମୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ୧୭ ତାରିଖରେ ବୌଦ୍ଧ ବ୍ଲକ, ୧୮ ତାରିଖରେ ହରଭଙ୍ଗା ବ୍ଲକ ଓ ୧୯ ତାରିଖରେ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ମାନଙ୍କରେ ନିର୍ଦ୍ଧାରିତ ସମୟରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ । ଭତ୍ତା ପାଇଁ ଆବେଦନ କରିଥିବା କଳାକାରମାନେ ନିଜର ସମସ୍ତ ଅରିଜିନାଲ ସାର୍ଟିଫିକେଟ ସହିତ କଳା ପ୍ରଦର୍ଶନ ର ଭିଡିଓ କ୍ଲିପ (ମୋବାଇଲରେ) ନେଇ ପହଞ୍ଚିବାକୁ ସୂଚନା ଦିଆଯାଇଛି ।

ଯେଉଁ କଳାକାରମାନେ ନିଜର କଳା ପ୍ରଦର୍ଶନର ଭିଡିଓ କ୍ଲିପ ଦେଇପାରିବେ ନାହିଁ ସେମାନେ ନିର୍ଦ୍ଧାରିତ ସ୍ଥାନରେ ନିଜର କଳା ପ୍ରଦର୍ଶନ କରିବାର ସୂଯୋଗ ଦିଆଯିବ ବୋଲି ସୂଚନା ଦିଆଯାଇଛି । ତେଣୁ ଉକ୍ତ ଦିବସରେ ଆବେଦନ କାରୀମାନେ ନିର୍ଦ୍ଧାରିତ ସମୟରେ ନିଜର ସମସ୍ତ ପ୍ରମାଣପତ୍ର ଓ ଭିଡିଓ କ୍ଲପିଂ ଧରି ପହଞ୍ଚିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।