ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି : ପକ୍କା ଘର ମରାମତି ପାଇଁ ମିଳିବ ୩ ରୁ ୫ ହଜାର ଟଙ୍କା

0
187

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୨/୧୨) : ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ସରକାରୀ ସହାୟତାରେ ପକ୍କା ଘର କରିଥିବା ଲୋକଙ୍କୁ ମରାମତି ପାଇଁ ମିଳିବ ୩ ରୁ ୫ ହଜାର ଟଙ୍କା ।

ରାଜ୍ୟ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶା ଉପରେ ସବୁବେଳେ ବାତ୍ୟା ଓ ବନ୍ୟା ର ଭୟ ରହୁଛି । ଏବେ ପ୍ରତି ବର୍ଷ ଆମେ ବାତ୍ୟା ର ସାମ୍ନା କରୁଛୁ । ତେଣୁ ଆଶ୍ରୟ ସୁରକ୍ଷା ସବୁ ସୁରକ୍ଷା ର ଆଧାର । ସବୁ ପରିବାର ର ମୁଣ୍ଡ ଉପରେ ଭଲ ଛାତ ଥିଲା ବିଜୁ ବାବୁଙ୍କ ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ଆମେ ବିଜୁ ପକ୍କା ଘର ଯୋଜନା ଆରମ୍ଭ କରିଛୁ ।

ସବୁ କଚ୍ଚା ଘରକୁ ପକ୍କା କରିବା ପାଇଁ ୨୦୧୪ ର ପ୍ରଥମ କ୍ୟାବିନେଟରେ ଆମେ ନିଷ୍ପତ୍ତି ନେଇଥିଲୁ । ଏ ଦିଗରେ ମଧ୍ୟ ବହୁତ ଭଲ କାମ ହୋଇଛି । ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ୨୦୧୪ ରୁ ଏ ପର୍ଯ୍ୟନ୍ତ ବାଇଶ ହଜାର କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ କଲେଣି ।

ଗାଁ ର ଗରିବ ଲୋକଙ୍କୁ ପକ୍କା ଘର ଖଣ୍ଡିଏ ଦେବା ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନା କରିଛନ୍ତି । ତା’ ସହିତ କେନ୍ଦ୍ର ଯୋଜନାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ରହିଛି । କେନ୍ଦ୍ର ଗୃହ ନିର୍ମାଣ ଯୋଜନା ପାଇଁ ରାଜ୍ୟ ସରକାର ମଧ୍ୟ ପାଖାପାଖି ଅଧା ଖର୍ଚ୍ଚ ବହନ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅନେକ ଯୋଗ୍ୟ ପରିବାର ବହୁ ଦିନ ଧରି ଅପେକ୍ଷା କରିଛନ୍ତି । ଏ ସଂପର୍କରେ ମୁଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଦୁଃଖ ର କଥା ଆମର ଜନଜାତି ଅଞ୍ଚଳ ଓ ପଶ୍ଚିମ ଓଡିଶା ପରି ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ଲୋକମାନେ ଏଥିରେ ବିଶେଷ ପ୍ରଭାବିତ ହୋଇଛନ୍ତି । ଏ ବିଷୟରେ ମୁଁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛି ।

ଜାଣେ କୋଭିଡ ଯୋଗୁଁ ଆମର ଗରିବ ଲୋକମାନେ ବହୁତ କଷ୍ଟରେ ଅଛନ୍ତି । ଛୋଟ ଛୋଟ ମରାମତି କରିବା, ଏପରିକି ଚୂନ ଦେବା ପାଇଁ ମଧ୍ୟ ଆପଣଙ୍କ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆପଣମାନଙ୍କ ଏ କଷ୍ଟକୁ ମୁଁ ଅନୁଭବ କରୁଛି । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ଏକ ଐତିହାସିକ ନିଷ୍ପତ୍ତି ନେଇ ଗରିବ ଲୋକଙ୍କୁ ସହାୟତା ଦେବା ପାଇଁ ସ୍ଥିର କରିଛି । ଏଭଳି ନିଷ୍ପତ୍ତି ନେବାରେ ଆପଣଙ୍କ ରାଜ୍ୟ ସରକାର ସାରା ଦେଶରେ ପ୍ରଥମ ।

ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନାରେ ଘର ପାଇଥିବା ଲୋକଙ୍କୁ ଘର ମରାମତି ପାଇଁ ୩୦୦୦ ଟଙ୍କା ସହାୟତା ଦେବାକୁ ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି । ସେହିପରି କେନ୍ଦ୍ର ଯୋଜନାରେ ଘର ଖଣ୍ଡିଏ ପାଇବାରୁ ବଞ୍ଚିତ ହୋଇ ଅସୁବିଧାରେ ଥିବା ପରିବାରକୁ ଘର ମରାମତି ପାଇଁ ମୋ ସରକାର ୫୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି ।

ଏହି ଉଭୟ ସହାୟତା ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ । ୩୦ ଲକ୍ଷ ପରିବାର ଉପକାର ପାଇବେ । ଏଥିପାଇଁ ୧୪୪୪ କୋଟି ଟଙ୍କା ଖର୍ଚ୍ଚ ହେବ । ବିଜୁ ପକ୍କା ଘର ଯୋଜନାରୁ ଏ ଖର୍ଚ୍ଚ ବହନ କରାଯିବ ।