ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ବିନା ସଂକ୍ରମିତ ଦେଶରୁ ଓଡ଼ିଶା ଆସିଥିଲେ

0
162

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୨୨/୧୨) : ଓଡ଼ିଶାରୁ ଚିହ୍ନଟ ହୋଇଥିବା ଦୁଇ ଜଣ ଓମିକ୍ରନ୍ ଆକ୍ରାନ୍ତ ବିନା ସଂକ୍ରମିତ ଦେଶରୁ ଫେରିଛନ୍ତି । ଯାହାକି ରାଜ୍ୟବାସୀଙ୍କ ପାଇଁ ଚିନ୍ତା ର କାରଣ ପାଲଟିଛି ।

ଉଭୟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କିଛି ଲକ୍ଷଣ ନ ଥିବା ବେଳେ ଅନ୍ୟ ଜଣଙ୍କର ଅଳ୍ପ କାଶ ହେଉଛି । ଉଭୟଙ୍କୁ ସଂଘରୋଧରେ ରଖାଯାଇଛି । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ବିଦେଶ ଫେରନ୍ତା ଙ୍କ ଆରଟିପିସିଆର ଟେଷ୍ଟ ରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସେମାନଙ୍କ ଜିନମ ସିକ୍ୟୁଏନ୍ସିଂ ହୋଇଥିବା ବେଳେ ସେଥିରୁ ଦୁଇ ଜଣ ଓମିକ୍ରନ୍ ଭାରିଏଣ୍ଟ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କତାର ଫେରନ୍ତା । ଉଭୟ ବିନା ସଂକ୍ରମିତ ଦେଶରୁ ଓଡ଼ିଶା ଫେରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଓଡ଼ିଶାକୁ ନଭେମ୍ବରରୁ ଏ ଯାଏଁ ୮୮୦୦ ବିଦେଶ ଫେରନ୍ତା ଆସିଛନ୍ତି । ସେମାନଙ୍କ ମଧ୍ୟରୁ ବିନା ସଂକ୍ରମିତ ଦେଶରୁ ୧୬୦୦ ଲୋକ ଆସିଛନ୍ତି । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ସରିଛି । ୨୧ ଜଣ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡ଼ିଛି । ସମସ୍ତ ୨୧ ଜଣଙ୍କର ଟେଷ୍ଟିଂ କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସେପଟେ ଏହି ଘଟଣାକୁ ରାଜ୍ୟ ସରକାର ଗୁରୁତର ସହ ନେଇଛନ୍ତି । ଓଡ଼ିଶାରେ ଓମିକ୍ରନ୍ ପଶି ସାରିଥିବା ବେଳେ ଏହାର ମୁକାବିଲା ପାଇଁ ଲୋକସଭା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକ ବସିଛି । ଏଥିରେ ସ୍ୱାସ୍ଥ୍ୟ ବିଭାଗ ସମେତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଛନ୍ତି ।