ଫେସବୁକ୍ ରେ ପୋଲିସ ପରିଚୟ ଦେଇ ଯୁବତୀଙ୍କଠାରୁ ଫୋନ୍ ଲୁଟ

0
260
ଫେସବୁକ୍ ରେ

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୧/୦୧) : ଫେସବୁକ୍ ରେ ପୋଲିସ ପରିଚୟ ଦେଇ ଯୁବତୀଙ୍କ ସହ ବନ୍ଧୁତା । ପରେ ଯୁବତୀଙ୍କଠାରୁ ଫୋନ୍ ଝାମ୍ପିନେଇ ତାଙ୍କୁ ପୁରୀ ଗଲେ ଫୋନ୍ ମିଳିବ ବୋଲି କହିଛନ୍ତି ନକଲି ପୋଲିସ । ଯାହାକୁ ନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନା ର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଯୁବତୀଙ୍କ ଅଭିଯୋଗ କ୍ରମେ କେସ୍ ନଂ-୪/୨୨ରେ ୩୯୨ ଧାରାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।

ଶୁଭଲକ୍ଷ୍ମୀ ନାୟକ (୨୧) ଏଠାରେ ସ୍ଥାନୀୟ ପଳାଶୁଣୀ ଅଞ୍ଚଳରେ ଭଡାରେ ରୁହନ୍ତି । ଜାନୁୟାରୀ ୧ ତାରିଖରେ ଫେସବୁକ୍ ରେ ଜନୈକ ଯୁବକଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା । ଫେସବୁକ୍ ରେ ଉକ୍ତ ଯୁବକଙ୍କ ନାମ ଜିତୁ ଦାସ ଥିବାବେଳେ ସେ ଜଣେ ପୋଲିସ ଅଫିସର ବୋଲି ଉଲ୍ଲେଖ ଥିଲା । ପରେ ଉଭୟଙ୍କ ମଧ୍ୟରେ ଫୋନ୍ ନମ୍ବର ଦେଣନେଣ ସହ ଚାଟିଂ ଚାଲିଥିଲା । ଶନିବାର ସନ୍ଧ୍ୟା ପ୍ରାୟେ ସାଢେ ୭ଟା ସମୟରେ ପରିବା କିଣିବାକୁ ଯାଉଥିଲେ । ହାତରେ ମୋବାଇଲ୍ ଫୋନ୍ ଧରି ଚାଲିଚାଲି ଯାଉଥିବା ସମୟରେ ହଠାତ୍ କେହିଁ ଜଣେ ପଛପଟୁ ଗାଡ଼ିରେ ଆସି ସେ ଧରିଥିବା ମୋବାଇଲ ଫୋନ୍ଟି କୁ ଛଡ଼ାଇ ନେଇଥିଲେ । ସେ ସେମାନଙ୍କୁ ଚିହ୍ନି ପାରିନଥିବା ବେଳେ ଗାଡ଼ିଟି ନୀଳ ରଙ୍ଗର ଥିବା ଜାଣିପାରିଥିଲେ ।

ଘଟଣା ପର ଦିନ ଅର୍ଥାତ ରବିବାର ସକାଳେ ଯୁବତୀ ଜଣଙ୍କ ସେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରଟିକୁ କଲ୍ କରିଥିଲେ । ଫୋନ୍କୁ ଜଣେ ଯୁବକ ଉଠାଇଥିଲେ । ଆଉ କହିଥିଲେ, ମୁଁ ଜିତୁ ଦାଶ ଓଡ଼ିଶା ପୋଲିସ ରୁ କହୁଛି । ସେ ମୋବାଇଲ୍କୁ ଲୁଟି ନେଇଥିବା ସ୍ୱୀକାର କରିବା ସହ ମୋବାଇଲ୍ ଫେରାଇବା ପାଇଁ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ନୀଳ ରଙ୍ଗର ଗାଡ଼ିଟି ଆଣିଛି ଗାଡ଼ି ଭିତରକୁ ଆସ, ମିଶିକି ପୁରୀ ବୁଲିବାକୁ ଯିବା । ସେଠାରେ ମୁଁ ତୋ ଫୋନ୍ ଫେରାଇଦେବି ।

ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ଘର ମାଲିକଙ୍କୁ ଜଣାଇବା ସହ ଗାଡ଼ିଟିକୁ ଅଟକାଇଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଧକ୍କା ଦେଇ ପଳାଇଥିଲା । ପରେ ଯୁବତୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।